ବାଟ ଭୁଲି POKରୁ ଭାରତକୁ ପଳାଇ ଆସିଥିଲେ ଦୁଇ ଭଉଣୀ, ଉପହାର ଏବଂ ମିଠା ଦେଇ ସ୍ବଦେଶ ଫେରାଇଲା ଭାରତୀୟ ସେନା

Published By : Prameya-News7 Bureau | December 07, 2020 IST

ଜାମ୍ମୁ ୦୭/୧୨: ଭାରତୀୟ ସେନାର ମହନୀୟତା। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଭାରତକୁ ପଶିଆସିଥିବା ଦୁଇ ଭଉଣୀଙ୍କୁ ସ୍ବଦେଶ ପଠାଇଲା ଭାରତୀୟ ସେନା। ରବିବାର ଦିନ ଭୁଲ ବଶତଃ ଦୁଇ ଭଉଣୀ ପିଓକେରୁ ନିୟନ୍ତ୍ରଣ ରେଖା (ଏଲଓସି) ଦେଇ ପୁଞ୍ଚ ଜିଲ୍ଲାକୁ ପ୍ରବେଶ କରିଥିଲେ। ସେମାନଙ୍କୁ ଭାରତୀୟ ଯବାନ ଅଟକ ରଖିଥିବା ବେଳେ ସୋମବାର ସସମ୍ମାନେ ତାଙ୍କୁ ପିଓକେ ପଠାଯାଇଥିବା ଜଣାପଡ଼ିଛି।

ପିଓକେର କହୁତା ତହସିଲ୍‌ର ଲାଇବା ଜାବେର (୧୭) ଓ ତାଙ୍କର ସାନ ଭଉଣୀ ସାନା ଜାବେର (୧୩) ଭାରତୀୟ ସୀମାକୁ ପ୍ରବେଶ କରିବା ପରେ ସେମାନଙ୍କୁ ଯାବାନମାନେ ଅଟକ ରଖିଥିଲେ। ତେବେ ସେମାନଙ୍କୁ ଚକନା ଦା ବାଗ (ସିଡିବି)ରେ ଫେରାଇ ଦିଆଯାଇଥିବା ସେନା ପ୍ରବକ୍ତା କହିଛନ୍ତି।

ପାକିସ୍ତାନ ସେନା ଓ ପିଓକେବାସୀଙ୍କ ଉପସ୍ଥିତିରେ ଦୁଇ ଭଉଣୀଙ୍କୁ ସିଡିବିରେ ଫେରାଇ ଦିଆଯାଇଛି। ସେମାନଙ୍କୁ ଭାରତୀୟ ସେନା ବିଭିନ୍ନ ଉପହାର ସାଙ୍ଗକୁ ମିଠା ଦେଇ ପଠାଇଛି। ଯାହାକି ଭାରତୀୟ ସେନାର ଉତ୍ତମ ବ୍ୟବହାରକୁ ଦର୍ଶାଉଛି ବୋଲି ସେନା ପ୍ରବକ୍ତା କହିଛନ୍ତି।

ପିଓକେ ଫେରିବା ପୂର୍ବରୁ ବଡ଼ ଭଉଣୀ  ଲାଇବା କହିଛନ୍ତି, ଘରକୁ ରାସ୍ତା ଭୁଲି ଆମେ ଭାରତରେ ପହଞ୍ଚିଥିଲୁ । ସେନା ଅଧିକାରୀ ଆମକୁ ଅଟକ ରଖିବା ସହ ପ୍ରଶ୍ନ ପଚାରିଥିଲେ। ଆମେ ଭାବିଥିଲୁ ସେମାନେ (ଯବାନ) ଆମକୁ ପିଟିବେ। କିନ୍ତୁ ସେମାନେ ଆମକୁ ଭଲ ବ୍ୟବହାର କରିଥିଲେ। ସେମାନେ ତାଙ୍କ ସହ ଆମକୁ ନେଇ ଆସିଥିଲେ ଏବଂ ଖାଇବାକୁ ଦେଇଥିଲେ। ଆମକୁ ସେଦିନ ପାକିସ୍ତାନ ନଫେରାଇ ଆଜି ହସ୍ତାନ୍ତର କରିଛନ୍ତି। ଏଠାକାର ଲୋକ ପ୍ରକୃତରେ ଭଲ ବୋଲି ଲାଇବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.