କବି ଭିକାରୀ ଚରଣ ନାୟକଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

Published By : Prameya-News7 Bureau | May 14, 2021 IST

ପାଟଣା ୧୪।୫: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ସଅଁରାପଶି ଗ୍ରାମର ବର୍ଷିଆନ କବି ଭିକାରୀଚରଣ ନାୟକଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ନିଜ ବାସଭବନରେ ଶୁକ୍ରବାର ସକାଳ ୫ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ଏକାଧାରରେ ସେ ଜଣେ କବି, ଲେଖକ, ସୁବକ୍ତା ଥିଲେ । ସୁନ୍ଦରଗଡ଼ ଜିଲ୍ଲାରୁ ଶିକ୍ଷକକତା ଆରମ୍ଭ କରିଥିଲେ । ପାଟଣା ବ୍ଲକରେ ସମାଜ ମଙ୍ଗଳ ଅଧିକାରୀ ଭାବେ କାମ କରି ଚାକିରୀରୁ ଅବସର ନେବା ପରେ ବିଭିନ୍ନ ସାହିତ୍ୟ ସଙ୍ଗଠନ ସହିତ ଜଡିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ଼ ପୁଅ ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକ, ସାନ ପୁଅ ତାରିଣୀ ପ୍ରସାଦ ନାୟକ, ଝିଅ କବୟିତ୍ରୀ ଉମା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପାଟଣା ବୈତରଣୀ ନଦୀ କୂଳରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି । ବଡ଼ ପୁଅ ଦୁର୍ଗାଚରଣ ନାୟକ ମୁଖାଗ୍ନି ଦେଇଛନ୍ତି । ଭିକାରୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ଭରତ ଚନ୍ଦ୍ର ଦାଶ, ଅବନିକାନ୍ତ ଦାଶ, ବିଦ୍ୟାଧର ଦାଶ, ନୃସିଂହ ନାଥ ସିଂହ, ଅଜୟ କୁମାର ଦାଶ, ଅରୁଣ କୁମାର ମିଶ୍ର, କମଳା କାନ୍ତ ଦାଶ, ରାଧାକାନ୍ତ ମହାନ୍ତ, ଗୌତମ ନାଏକ, ଦିଲ୍ଲୀପ କୁମାର ଦାଶ, ଜ୍ୟୋସ୍ନାରଣୀ ତ୍ରିପାଠୀ, ଯୁବ ସମାଜ ସେବୀ ବିଜୟରତ୍ନ ପତି, ଶ୍ରୀନିବାସ ଶତପଥୀ, ବିବେକାନନ୍ଦ ଦାଶ, ବୀରକିଶୋର ଦାଶ ମହେଶ୍ବର ପୃଷ୍ଟି, ସନ୍ତୋଷ କୁମାର ପତି, କିଶୋର ଚନ୍ଦ୍ର ମହାନ୍ତ, କାମିନୀକାନ୍ତ ଦ୍ବିବେଦୀ, ଅଭିମନ୍ୟୁ ରାଉତ, ରଞ୍ଜନ ବାରିକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.