ସମ୍ ହସ୍ପିଟାଲରେ କମ୍ ଖର୍ଚ୍ଚରେ ପୋଏମ୍ ପଦ୍ଧତିରେ ଚିକିତ୍ସା

Published By : Prameya-News7 Bureau | October 09, 2018 IST

ଭୁବନେଶ୍ୱର ୯/୧୦ : ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ “ପର୍ ଓରାଲ୍ ଏଣ୍ଡୋସ୍କୋପିକ୍ ମାୟୋଟୋମି” (ପୋଏମ୍) ପଦ୍ଧତିରେ ଚିକିତ୍ସା କରି ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ନୂଆଫର୍ଦ୍ଦ ଯୋଡିଛନ୍ତି । ଖୁବ୍ କମ୍ ଖର୍ଚ୍ଚରେ ନୂଆ ପ୍ରକ୍ରିୟାରେ ଆକାଲାସିଆ କାର୍ଡିଆ ରୋଗର ଚିକିତ୍ସା କରିଛନ୍ତି ସମର ଡାକ୍ତର । ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ଡକ୍ଟର ମନୋଜ କୁମାର ସାହୁ ଓ ତାଙ୍କର ଦଳ ପୋଏମ୍ ପଦ୍ଧିତିରେ ୧୩ ଜଣ ରୋଗୀଙ୍କର ଚିକିତ୍ସା କରିସାରିଥିବା ବେଳେ ତାଙ୍କ ନେତୃତ୍ୱରେ ସେପ୍ଟେମ୍ବର ୩୦ ତାରିଖ ଦିନ ଗୋଟିଏ ଦିନରେ ଏହି ପ୍ରକ୍ରିୟାରେ ୫ଟି ଅପରେସନ୍ କରି ରେକର୍ଡ ସୃଷ୍ଟି କରିଛନ୍ତି । ଓଡିଶାରେ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟାରେ ଚିକିତ୍ସା ସମ୍ ହସ୍ପିଟାଲ୍ରେ କରାଯାଇଥିବା ଡ. ସାହୁ ସୂଚନା ଦେଇଛନ୍ତି । ପୋଏମ୍ ପ୍ରକ୍ରିୟାରେ ଏହି ଚିକିତ୍ସା ସମର ଗ୍ୟାଷ୍ଟ୍ରୋଏନ୍ଟେରୋଲଜିଷ୍ଟମାନେ ବିଶିଷ୍ଟ ଚିକିତ୍ସକ ଡକ୍ଟର ପଙ୍କଜ  ଦେଶାଇଙ୍କ ଉପସ୍ଥିତିରେ ପରିଚାଳିତ କରିଥିଲେ ଏବଂ ବର୍ତମାନ ସ୍ୱାଧୀନ ଭାବେ ଏହା କରିବାକୁ ସକ୍ଷମ ଅଟନ୍ତି ବୋଲି ଡ. ସାହୁ କହିଛନ୍ତି । ଏହି ପ୍ରକ୍ରୀୟା ସମ୍ପର୍କରେ ସୂଚନା ଦେଇ ଡ. ସାହୁ କହିଛନ୍ତି ଯେ ଏହା ଆକାଲାସିଆ କାର୍ଡିଆ ରୋଗୀମାନଙ୍କ ପାଇଁ ଏକ ଅଭିନବ ତୃତୀୟ ସ୍ପେସ୍ ଟନେଲ୍ ସର୍ଜରୀ । ପାଟିବାଟେ ଏହି ପ୍ରକ୍ରୀୟାରେ ଅପରେସନ୍ କରାଯାଇଥାଏ ଏବଂ ଛାତି କିମ୍ବା ତଳିପେଟକୁ ଚିରି ଇନ୍ଭେସିଭ୍ ସର୍ଜରୀର କୌଣସି ଆବଶ୍ୟକତା ପଡ଼େ ନାହିଁ । ଏହି ଅଭିନବ ଇନ୍ଭେସିଭ୍ ସର୍ଜରୀ ଖୁବ୍ ସୁରକ୍ଷିତ ଏବଂ ସଫଳ ଏଣ୍ଡୋସ୍କୋପି ପ୍ରକ୍ରିୟା । ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଉନ୍ନତି ପାଇଁ ଉନ୍ନତ କୌଶଳର ଏହା ଏକ ନୂଆ ଦିଗ । ଏହି ସର୍ଜରୀରେ କୌଣସି ରୋଗୀର ଶରୀରରେ ରକ୍ତ ଦେବାର ଆବଶ୍ୟକତା ନାହିଁ ଏବଂ ଦିନେ କିମ୍ବା ଦୁଇଦିନ ଅବଜରଭେସନ ପରେ ଚିକିତ୍ସିତ ରୋଗୀଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ ମଧ୍ୟ କରାଯାଇପାରିବ । ଡ. ସାହୁ କହିଛନ୍ତି ସମ୍ ହସ୍ପିଟାଲ୍ ପକ୍ଷରୁ ଏପର୍ଯ୍ୟନ୍ତ ଏଭଳି ୧୩ଟି ଅପରେସନ୍ ବିନା ମୂଲ୍ୟରେ କରାଯାଇସାରିଛି । ତେବେ ଓଡ଼ିଶା ବାହାରେ ପୋଏମ୍ ପ୍ରକ୍ରିୟାରେ ଅପରେସନ୍ କଲେ ଦେଢ଼ ଲକ୍ଷରୁ ପାଂଚ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମର ମାତ୍ର ୧୦ ହଜାର ଟଙ୍କାରେ ଏହି ଅପରେସନ୍ କରାଯାଇପାରିବ ବୋଲି ସେ କହିଛନ୍ତି । ଅପରେସନ୍ ହୋଇଥିବା ସବୁ ରୋଗୀମାନେ ସୁସ୍ଥ ଅଛନ୍ତି ଏବଂ ଠିକ୍ ଭାବେ ଖାଇବା ପିଇବା କରିପାରୁଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.