୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଏସିଡ୍ ଢାଳି ହତ୍ୟା ଘଟଣା, ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | March 08, 2021 IST

ଲକ୍ଷ୍ନୌ ୦୮/୦୩ : ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।  ଉତ୍ତର ପ୍ରଦେଶର ଜୋନପୁର ଜିଲ୍ଲାରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ଘଟଣାର ପୋକ୍ସୋ ଆକ୍ଟରେ ଶୁଣାଣି କରି ରାୟ ଦେଇଛନ୍ତି କୋର୍ଟ । ଏହା ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ୬ ଅଗଷ୍ଟ ୨୦୨୦ରେ ମଡିୟାହୁଁ ଥାନା ଅଞ୍ଚଳ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ଅଭିଯୁକ୍ତ ବାଲ ଗୋବିନ୍ଦ ଘର ପାଖ ଜଣେ ୧୧ ବର୍ଷୀୟା ନାବାଳିକାକୁ ଚକୋଲେଟ୍ ଏବଂ ବିସ୍କୁଟ୍‌ ଦେବାକୁ କହି ନିକଟସ୍ଥ ପଡିଆକୁ ନେଇ ଦୁଷ୍କର୍ମ କରିଥିଲା । ଏହା ପରେ ନାବାଳିକାକୁ ହତ୍ୟା କରି ଏସିଡ୍‌ ପକାଇ ଜାଳିଦେଇଥିଲା ।

ଦୋଷୀକୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକ ଦାବି କରିଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ବାଲ ଗୋବିନ୍ଦକୁ କାବୁ କରିଥିଲା ପୋଲିସ । ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ । ନଭେମ୍ବର ୨୦୨୦ରେ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ୩ ମାର୍ଚ୍ଚ ୨୦୨୧ ସୋମବାର କୋର୍ଟ ମାମଲାର ରାୟ ପ୍ରକାଶ କରିବା ସହିତ ଅଭିଯୁକ୍ତ ବାଲ ଗୋବିନ୍ଦକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.