PNB ସ୍କାମ ତଦନ୍ତରେ CBIକୁ ବଡ ସଫଳତା, ଭାରତ ଆସିଲା ସନ୍ନି କାଲରା
7/03/2020 at 6:59 PM

ନୂଆଦିଲ୍ଲୀ ୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଋଣ ଠକେଇ ମାମଲାରେ ତଦନ୍ତକାରୀ ସଂସ୍ଥାଙ୍କୁ ବଡ ସଫଳତା ମିଳିଛି। ବ୍ୟାଙ୍କ ଋଣ ଠକି ଫେରାର ଥିବା ସନ୍ନି କାଲରାକୁ ଓମାନର ମାସ୍କଟରୁ ଶନିବାର ଭାରତ ଅଣାଯାଇଛି। ସିବିଆଇ ଯୋଗୁ ଏହା ସମ୍ଭବ ହୋଇପାରିଥିବା ବେଳେ ମାମଲାର ତଦନ୍ତ ଆଗକୁ ବଢିପାରିବ ବୋଲି ଏବେ ଆଶା କରାଯାଉଛି।

ପିଏନବି ଋଣ ଠକେଇରେ ନିରବ ମୋଦି ତାଙ୍କ ବନ୍ଧୁମାନଙ୍କ ଭଳି ହ୍ୱାଇଟ୍ ଟାଇଗର ଷ୍ଟିଲସର ନିର୍ଦ୍ଦେଶକ ସନ୍ନି କଲରା ମଧ୍ୟ ଜଣେ। କାଲରା ବ୍ୟାଙ୍କରୁ ୧୦ କୋଟି ଟଙ୍କା ଋଣ ନେଇଥିଲେ। ଏଥିଲାଗି ସେ ବ୍ୟାଙ୍କକୁ ଦେଇଥିବା ଗ୍ୟାରେଣ୍ଟିକୁ ପରେ ଗୁପ୍ତରେ କାଢି ନେଇଥିବା ବେଳେ ଋଣ ପୈଠ କରିନଥିଲେ। ସେପଟେ ଋଣ ବାବଦ ଗ୍ୟାରେଣ୍ଟି ସେ ଲୁଚେଇ ନେଇଥିବାରୁ ପରେ ବ୍ୟାଙ୍କକୁ ଅସୁଲ କରିବା କଷ୍ଟକର ହୋଇପଡିଥିଲା।

ଋଣ ଠକେଇ ନେଇ ୨୦୧୬ ମସିହାରେ ସିବିଆଇରେ ଅଭିଯୋଗ ହୋଇଥିବା ବେଳେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ୍ ଜାରି ହୋଇଥିଲା। ଏଥିରେ କାଲରା ତାଙ୍କ ପତ୍ନୀ ଓ ପିଏନବିର ୩ ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିଲା। ତେବେ ମାମଲା ସିବିଆଇ ହାତକୁ ଯିବା ପରେ କାଲରା ଓ ତାଙ୍କ ପତ୍ନୀ ଦେଶରୁ ଫେରାର ହୋଇଯାଇଥିଲେ।