ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଲଣ୍ଡନରେ ଥିବାର ସୂଚନା

Published By : Prameya-News7 Bureau | August 20, 2018 IST

ଇଂଲଣ୍ଡ:୨୦/୮:ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଇଂଲଣ୍ଡରେ ଅଛନ୍ତି। ସୋମବାର ସେଠାରେ ଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ସିବିଆାଇ ନୀରବଙ୍କ ପ୍ରତ୍ୟର୍ପଣ ଲାଗି ସୁପାରିଶ କରିଛନ୍ତି। ପିଏନବିରେ ୧୩,୦୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଘଟଣା ସାମନାକୁ ଆସିବା ପୂର୍ବରୁ ନୀରବ ମୋଦୀ ବିଦେଶକୁ ପଳାୟନ କରିଥିଲେ। ସେବେଠାରୁ ତାଙ୍କୁ ଭାରତକୁ ଆଣିବା ଲାଗି ଉଦ୍ୟମ ଜାରି ରହିଛି। ଏଥି ପୂର୍ବରୁ ସେ ସ୍ବିଜରଲ୍ୟାଣ୍ଡ ଏବଂ ଆମେରିକାରେ ଲୁଚିଥିବା ଖବର ମିଳିଥିଲା। ଗତ ଜୁନ ମାସରେ ସନ୍ଡେ ଟାଇମ୍ସ ଦେଇଥିବା ସୂଚନା ଅନୁସାରେ ନିରବ ମୋଦି ତାଙ୍କ ଲଣ୍ଡନସ୍ଥିତ ଅଳଙ୍କାର ଦୋକାନର ଉପର ମହଲାରେ ଆତ୍ମଗୋପନ କରିଥିଲେ । ଅଗଷ୍ଟ୧୧ରେ ମୁମ୍ବାଇସ୍ଥିତ ଭଗୋଡ଼ା ଆର୍ଥିକ ଅପରାଧ ମାମଲାରେ କୋର୍ଟ ନୀରବଙ୍କ ବିରୋଧରେ ଖବରକାଗଜରେ ସାର୍ବଜନିକ ସମନ ଜାରି କରିଥିଲା। ତାଙ୍କୁ ସେପ୍ଟେମ୍ବର ୨୫ରେ ସକାଳ ୧୧ଟା ସୁଦ୍ଧା କୋର୍ଟରେ ହାଜିର ହେବାକୁ କୁହାଯାଇଛି। ଏହା ନ କରିବା ଦ୍ବାରା ଭଗୋଡ଼ା ଅପରାଧୀ ଆଇନ୍ ଅନୁସାରେ ସମ୍ପତ୍ତି ଜବତ କରିବା ପାଇଁ ତଦନ୍ତ ହେବ । ନୀରବଙ୍କ ମୁମ୍ବାଇ ସ୍ଥିତ ଦୁଇଟି ଠିକଣାରେ ମଧ୍ୟ ନୋଟିସ୍ ପଠାଯାଇଛି। କେବେ ଏବଂ କେମିତି ହେଲା ଦୁର୍ନୀତି: ଦୁର୍ନୀତିର ଆରମ୍ଭ ପିଏମ୍ବିର ମୁମ୍ବାଇସ୍ଥିତ ବ୍ରେଡି ହାଉସ୍ ବ୍ରାଞ୍ଚରେ ୨୦୧୧ରୁ ଆରମ୍ଭ ହୋଇଛି। ନକଲି ଏଲଓୟୁ ଜରିଆରେ ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ହଜାର କୋଟି ବିଦେଶୀ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଏହୀ ଦୁର୍ନୀତିର ପର୍ଦ୍ଦାଫାଶ ଫେବୃୟାରୀ ପ୍ରଥମ ସପ୍ତାହରେ ହୋଇଥିଲା। ପିଏନ୍ବି ସେବି ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ୧୧.୩୫୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ସୂଚନା ଦେଇଥିଲା। ପରେ ପିଏନ୍ବି ସିବିଆଇକୁ ବ୍ୟାଙ୍କରେ ୧୩୦୦ କୋଟି ଟଙ୍କାର ଆଉ ଏକ ଠକେଇ ହୋଇଥିବା ସୂଚନା ଦେଇଥିଲା। ଏହିଭଳିଭାବେ ପ୍ରାୟ ୧୩,୦୦୦କୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.