Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Covid-19 ପ୍ୟାକେଜ୍: ଜୁନ୍ ପର୍ଯ୍ୟନ୍ତ PMGKY ହିତାଧିକାରୀଙ୍କୁ ମାଗଣାରେ ମିଳିବ ୫ କେଜିର ୮ଟି ରନ୍ଧନ ଗ୍ୟାସ୍ ରିଫିଲ୍

12/04/2020 at 5:43 PM

ନୂଆଦିଲ୍ଲୀ ୧୨।୪: କରୋନା ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଗରିବ ଜନସାଧାରଣଙ୍କ ଲାଗି ଭାରତ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ଲାଗି ସରକାର ୩ ମାସ ପର୍ଯ୍ୟନ୍ତ ୩ଟି ଗ୍ୟାସ୍ ସିଲିଣ୍ଡର ନିଶୁଳ୍କରେ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଯେଉଁମାନେ ୧୪.୨ କେଜି ଓଜନର ସିଲିଣ୍ଡର ବ୍ୟବହାର କରୁଛନ୍ତି କେବଳ ସେମାନେ ଏହି ସୁବିଧା ପାଇପାରିବେ।

ତେବେ ଯେଉଁମାନେ ୫ କେଜିର ସିଲିଣ୍ଡର ବ୍ୟବହାର କରୁଛନ୍ତି ସେମାନଙ୍କ ନିମନ୍ତେ କେନ୍ଦ୍ରତୈଳ ମନ୍ତ୍ରାଳୟ ଜୁନମାସ ପର୍ଯ୍ୟନ୍ତ ୮ଟି ରିଫିଲ ଶୁଳ୍କ ମୁକ୍ତ କରିଥିବା ମୁଖପାତ୍ର କହିଛନ୍ତି। ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ସାରା ଦେଶରେ କରୋନା ଲକଡାଉନ୍ ଜାରି କରିଥିଲେ। ୨୬ ତାରିଖ ଦିନ କରୋନା ଲାଗି ୧.୭ଲକ୍ଷ କୋଟିର ପ୍ୟାକେଜ ଘୋଷଣା ବେଳେ ସରକାର ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ଲାଗି ୩ ମାସର ସିଲିଣ୍ଡର ନିଶୁଳ୍କ ଘୋଷଣା କରିଥିଲେ। ତେବେ ଏଥିରେ  ୫ କେଜି ସିଲିଣ୍ଡର ବ୍ୟବହାରକାରୀ ସନ୍ଦେହରେ ଥିଲେ।

ତେବେ ଏପରି ଉପଭୋକ୍ତାଙ୍କ ଲାଗି ମଧ୍ୟ ସରକାର ଜୁନ ମାସ ପର୍ଯ୍ୟନ୍ତ ୮ଟି ୫ କେଜି ରିଫିଲ ବ୍ୟବସ୍ଥା କରିଥିବା ତୈଳମନ୍ତ୍ରାଳୟ ମୁଖପାତ୍ର ସ୍ପଷ୍ଟ କରିଦେଇଛନ୍ତି। ଫଳରେ ଏହି କଠିଣ ପରିସ୍ଥିତିରେ ସେମାନଙ୍କ ରୋଷେଇରେ କିଛି ଅସୁବିଧା ହେବ ନାହିଁ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖପାତ୍ର। ଏଣୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ରେ ଅନ୍ତର୍ଭୁକ୍ତ ହିତାଧିକାରୀ ଏପ୍ରିଲ, ମେ ଓ ଜୁନ ମାସ ଲାଗି ୮ଟି ୫ କେଜିର ମାଗଣା ସିଲିଣ୍ଡର ପାଇବେ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ) ରେ ଦେଶର ୭୧ନିୟୁତ ଲୋକଙ୍କ ଲାଗି ବ୍ୟାଙ୍କ ଆକାଉଣ୍ଟରେ ୫ହଜାର ୬୦୬ କୋଟି ଟଙ୍କା ଅଗ୍ରୀମ ଦେଇ ଦିଆଯାଇଛି। ଯେପରି କେହି ବି ହିତାଧିକାରୀ ଏହି ସଂକଟ ସମୟରେ ରୋଷେଇ ଗ୍ୟାସ୍ ପାଇବାରୁ ବଞ୍ଚିତ ନ ହୁଅନ୍ତି। ୧ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ବଲିଆରେ ପିଏମୟୁୱାଇ ଯୋଜନାର ଶୁଭାରମ୍ଭ କରିଥିଲେ।

   Related Posts