ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଘର ପାଇଁ ଲାଂଚ ଦେଇଥିଲେ ଗରୀବ କଂସ ଦିଗଲ, ଘର ପାଇବା ଆଗରୁ ଚାଲିଗଲେ ଆରପାରିକୁ…

Published By : Prameya-News7 Bureau | October 30, 2018 IST

ଫୁଲବାଣୀ ୩୦|୧୦: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବେ ବୋଲି କେତେ ଆଶା କରିଥିଲେ । ଲାଞ୍ଚ ନଦେଲେ ଘର ମିଳିବନି ବୋଲି ଶୁଣିବା ପରେ, ଏଠୁ ସେଠୁ ଯୋଗାଡ଼ କରି ୫ହଜାର ଟଙ୍କା ଲାଞ୍ଚ ମଧ୍ୟ ଦେଇଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଘର ମିଳିବା ଆଗରୁ ସବୁ ଦିନ ପାଇଁ ଆଖି ବୁଜିଦେଲେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଟିମାହାର ଗାଁର କଂସ ଦିଗାଲ । ଜିଲ୍ଲାପାଳଙ୍କୁ ପରିବାର ଲୋକଙ୍କ ଅଭିଯୋଗ ପରେ ଏବେ ଅନ୍ୟ ହାତରେ ଲାଞ୍ଚ ଟଙ୍କା ଫେରାଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଯୋଜନା କାର୍ଯ୍ୟକାରୀ ଦାୟିତ୍ବରେ ଥିବା ବାବୁମାନେ । ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ସରକାରୀ ଯୋଜନାର ଅଭାବ ନାହିଁ । ହେଲେ ଆନ୍ତରିକତା ଅଭାବରୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁନି ଯୋଜନା । ଲାଞ୍ଚ ନଦେଲେ ତାଲିକାରେ ନାଁ ଚଢ଼ୁନି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ ।  ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ଟିକାବାଲି ବ୍ଲକ କଟିମାହାର ଗାଁର କଂସ ଦିଗାଲ । ପରିଣତ ବୟସରେ ୟା’ ତା ପାଖକୁ ଦଉଡ଼ି ଦଉଡ଼ି କେତେ ନେହୁରା ହୋଇଥିଲେ । ହେଲେ ୫ହଜାର ଟଙ୍କା ଲାଞ୍ଚ ନଦେଲେ ଘର ମିଳିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଥିଲେ ଯୋଜନା କାର୍ଯ୍ୟକାରୀ ଦାୟିତ୍ବରେ ଥିବା ବାବୁମାନେ । ଗରିବ ଲୋକ ଏଠୁ ସେଠୁ ମାଗିଯାଚି ୫ହଜାର ଟଙ୍କା ଦେବା ପରେ ତାଲିକାରେ ଚଢ଼ିଥିଲା ନାଁ । ହେଲେ ଏତେ ସପନକୁ ରାତି ନଥିଲା । ଘର ଖଣ୍ଡେ ପାଇବା ଆଗରୁ ସବୁ ଦିନ ପାଇଁ ଆଖିବୁଜି ଦେଲେ କଂସ ଦିଗଲ । ବିଧବା ପତ୍ନୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି । ଆଉ ଏହାକୁ ଦେଖି ଏବେ ଅନ୍ୟ ହାତରେ ୩ହଜାର ଟଙ୍କା ଫେରାଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ।  କାଳେ ତଦନ୍ତ ହେଲେ ଲାଂଚ ନେବା କଥା ଧରାପଡ଼ିଯିବ ସେଥିପାଇଁ ଅନ୍ୟ ହାତରେ ଟଙ୍କା ଫେରାଇ ନିଜ ନିୟତ ସଫା ଦେଖାଇବାକୁ ଚେଷ୍ଟା କରିଛନ୍ତି ସରପଞ୍ଚ ଆଉ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଆଉ ପଚାରିଲା ବେଳକୁ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହୁଛନ୍ତି ।ଲାଞ୍ଚ ପାଇଁ ବଞ୍ଚିଥାଉ ଥାଉ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇ ପାରିଲେଣି କଂସ ଦିଗାଲ । ଏବେ ମୃତ୍ୟୁ ପରେ ତାଙ୍କର ବିଧବା ପତ୍ନୀଙ୍କୁ କେମିତି ଆଉ କେତେ ଶୀଘ୍ର ଜିଲ୍ଲା ପ୍ରଶାସନ ଘର ଯୋଗାଇ ଦେଉଛନ୍ତି ତା ଉପରେ ରହିବ ନଜର । ଆଉ ତଳ ସ୍ତରରେ ଲାଂଚ ପାଇଁ ଗରିବ ଲୋକଙ୍କୁ ହଇରାଣ କରୁଥିବା ସରପଞ୍ଚ ଓ ଭିଏଲଡବ୍ଲୁଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ନଜର ରଖିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.