ଲକଡାଉନ୍ ନିଷ୍ପତି ଶନିବାର, ଦିନ ୧୧ଟାରେ ସବୁରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ ୧୦।୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନସିଂ ମାଧ୍ୟମରେ  ବିଭିନ୍ନ କେନ୍ଦ୍ର ଶାସିତ ଓ ରାଜ୍ୟର ମୁଖ୍ୟନ୍ତ୍ରୀଙ୍କ ସହ ଆଲୋଚନା କରିବେ। ପୂର୍ବାହ୍ନ ୧୧ଟା ବେଳେ ହେବାକୁ ଥିବା ଏହି ବୈଠକରେ ଦେଶରେ କରୋନା ଯୋଗୁ ଜାରି ଲକଡାଉନ୍‌ ସମ୍ପର୍କରେ ନିଷ୍ପତ୍ତି ହେବ।

ଦେଶରେ ଏବେ ୨୧ ଦିନିଆ ଲକଡାଉନ୍‌ ଜାରି ରହିଛି। ଗତ ମାର୍ଚ୍ଚ ୨୫ ତାରିଖରେ ଜାରି ହୋଇଥିବା ଏହି ଲକଡାଉନର ଅବଧି ଆସନ୍ତା ୧୪ ତାରିଖରେ ସମାପ୍ତ ହେବ। ତେବେ ଏହାର ସମ୍ପ୍ରସାରଣ ନେଇ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ଅନୁମାନ କରାଯାଉଛି। ଭିଡିଓ କନଫରେନସିଂରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ବୈଠକ । ପୂର୍ବ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ଲକଡାଉନ୍ ହଟାଇବା ଲାଗି ଏକ ‘ କମନ ଏକଜିଟ୍ ଷ୍ଟ୍ରାଟେଜି’ ନିର୍ଦ୍ଧାରଣ ନିମନ୍ତେ ପ୍ରଧାନମନ୍ତ୍ରୀ କହିଥିଲେ।  

ଏଥିରେ କେରଳ ରାଜ୍ୟ ସରକାର ମଙ୍ଗଳବାର କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଥିବା ବେଳେ ସାରା ଦେଶରୁ ଏକକାଳୀନ ଲକଡାଉନ୍ ନ ହଟାଇବାକୁ ନିବେଦନ କରିଛନ୍ତି। ଏଥିରେ ଦେଶରୁ ୩ଟି ପର୍ଯ୍ୟାୟରେ ଲକଡାଉନ ହଟାଇବାକୁ କେରଳ ସରକାର ପ୍ରସ୍ତାବ ଦେଇଥିବା ବେଳେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଚାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସଙ୍ଗରେ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସହ ମଧ୍ୟ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି। ତେବେ ଏହା ଏକ ସାମାଜିକ ଜରୁରିକାଳୀନ ପରିସ୍ଥିତି ଭଳି ହୋଇଥିବାରୁ ଏଥିପ୍ରତି ଏବେ ସରକାର ଖୁବ୍ ସମ୍ବେଦନଶୀଳ ଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ଏଣୁ ଗତ ବୁଧବାର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂରେ ଆହ୍ୱାନ କରିଥିବା ବୈଠକରେ ବିସ୍ତୃତ ଚର୍ଚ୍ଚା କରାଯାଇଥିବା ବେଳେ କୋଭିଡ-୧୯ ନେଇ ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞଙ୍କ ମତାମତ ମଧ୍ୟ ନିଆଯିବ ବୋଲି କହିଥିଲେ। ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ୟୁଗ୍ମ ସଚିବ ଲବ ଅଗ୍ରୱାଲ କରୋନା ସଂକ୍ରମଣ ଏବେବି ଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ଥିବା ଆଇସିଏମଆର ସୂତ୍ରକୁ ଆଧାର କରି କହିଛନ୍ତି। ଏପର୍ଯ୍ୟନ୍ତ ଦେଶର କୌଣସି ଠାରେ ସାମୂହିକ ସଂକ୍ରମଣର ଅଭିଯୋଗ ମିଳିନଥିବା ଅଗ୍ରୱାଲ କହିଥିବା ବେଳେ ଏଥିପ୍ରତି ସରକାର ଓ ମନ୍ତ୍ରାଳୟ ତୀକ୍ଷ୍ମ ନଜର ରଖିଥିବା କହିଛନ୍ତି। ଯଦି କୌଣସି ସ୍ଥାନରେ ଏଭଳି ପରିସ୍ଥିତି ଉପୁଜେ ତେବେ ସରକାର ଲୋକଙ୍କୁ ଆଗୁଆ ସତର୍କ କରିବେ ବୋଲି ଅଗ୍ରୱାଲ କହିଛନ୍ତି।

ଗୁରୁବାର ସାରା ଦେଶରେ ୧୬ ହଜାର ୨ଟି ନମୁନାର ପରୀକ୍ଷଣ ହୋଇଥିଲା। ଏଥିରୁ ୩୦୪ଟି ନମୁନା ପଜେଟିଭ ବାହାରିଛି। ଅର୍ଥାତ ସଂକ୍ରମଣ ହାର ୨ ପ୍ରତିଶତ ରହିଛି। ସେହିପରି ଗୁରୁତର ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କ କ୍ଷେତ୍ରରେ ୧.୮ ପ୍ରତିଶତ ମାମଲା ପଜେଟିଭ ଆସିଥିବା ୟୁଗ୍ମ ସଚିବ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.