ଆଜି ଚାଷୀଙ୍କୁ ୧୨ହଜାର କୋଟି ଦେବେ ପ୍ରଧାନମନ୍ତ୍ରୀ , ସେପଟେ ଉତ୍ସବ ପୂର୍ବରୁ ଆନ୍ଦୋଳନକାରୀ କୃଷକଙ୍କୁ ଉଠାଇନେଲା ପୋଲିସ
2/01/2020 at 11:31 AM

ବେଙ୍ଗାଲୁରୁ ୦୨।୦୧: ଗୁରୁବାର ଦିନ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତି ଜାରି କରିବେ । ଯାହାର ଲାଭ ୬କୋଟି କୃଷକ ଲାଭ ପାଇବେ । ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଯାହାଦ୍ବାରା କୃଷକଙ୍କୁ ୬ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଆଜି ପ୍ରଧାନମନ୍ତ୍ରୀ ୧୨ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରିବେ। କର୍ଣ୍ଣାଟକର ତୁମକୁର ସହରରେ ଏଥିପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୨ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ରହିବେ ।

ତୁମକୁର ରେ ପ୍ରଧାନମନ୍ତ୍ରୀ ଶ୍ରୀ ସିଦ୍ଧଗଂଗା ମଠ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଥିବା ଏକ ମ୍ୟୁଜିୟମଙ୍କ ମଧ୍ୟ ଗସ୍ତ କରିବେ । ତୁମକୁର ସଭାରେ କେତେକ ରାଜ୍ୟକୁ କୃଷି ସମ୍ମାନ ପୁରସ୍କାର ପ୍ରଦାନ କରାଯିବ ସହ ମାନପତ୍ର ମଧ୍ୟ ପ୍ରଦାନ କରାଯିବ । ଦେଶର ପ୍ରଗତିଶୀଳ କୃଷକଙ୍କୁ କୃଷି ମନ୍ତ୍ରୀ କୃଷି ସମ୍ମାନରେ ସମ୍ମାନିତ ମଧ୍ୟ କରିବେ। ଗତବର୍ଷ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶର ଗୋରଖପୁରରୁ ପିଏମ୍ କିଷାନ ସ୍କିମ୍ ଶୁଭାରମ୍ଭ କରିଥିଲେ । ଦୁଇଟି କିସ୍ତି ଦିଆସରିଛି ।

ସ୍କିମ୍ର ଶେଷ କିସ୍ତି ଭାବେ ଗୁରୁବାର ସବୁ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯିବ । ଏହି ସ୍କିମ୍ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ମୋଟ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଦେଶର ୧୨ କୋଟି ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କିଛି କୃଷକଙ୍କୁ ପୋଲିସ ଗିରଫ କରିଛି । କିଛି କୃଷକମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଓ କଳାପତାକା ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହେଉଥିଲା । କିନ୍ତୁ ବିରୋଧ ପ୍ରଦର୍ଶନ ପୂର୍ବରୁ ସମସ୍ତଙ୍କୁ ପୋଲିସ ଗିରଫ କରିସାରିଛି ।