ବିନା ତଥ୍ୟରେ ନିରାଧାର ବୟାନ ନଦିଅନ୍ତୁ ପ୍ରଧାନମନ୍ତ୍ରୀ : ନାରାୟଣସାମୀ

Published By : Prameya-News7 Bureau | February 26, 2021 IST

ପୁଡୁଚେରୀ ୨୬।୨: ପୂର୍ବତନ ପୂଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସାମୀ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିରାଧାର ବୟାନବାଜୀ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଡୁଚେରୀ ଗସ୍ତ ଅବସରରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏଥିରେ ନିକଟରେ ଇସ୍ତଫା ଦେଇଥିବା କଂଗ୍ରେସ ସରକାର କେନ୍ଦ୍ର ଶାସିତ ପ୍ରଦେଶ ଲାଗି କୌଣସି କାର୍ଯ୍ୟ କରୁନଥିଲେ ବୋଲି କହିଥିଲେ। ତେବେ ଏପରି ବୟାନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ୍ୟର ତଥ୍ୟ ଅବଲୋକନ କରିବାର ଥିଲା ବୋଲି ସାମୀ କହିଛନ୍ତି।

ସେ କହିଛନ୍ତି ଯେ ବାସ୍ତବିକତା ହେଉଛି ଏହି କେନ୍ଦ୍ରଶାସିତ ପ୍ରଦେଶର ଜିଡିପି ସେତେବେଳେ ୧୦.୨ ପ୍ରତିଶତ ଥିଲା ଯେତେବେଳେ ଦେଶର ଜିଡିପି ୭ ପ୍ରତିଶତ ଥିଲା। ପୁଡୁଚେରୀର ଆର୍ଥିକ କ୍ଷତି ପରିମାଣ ସେତେବେଳେ ୧.୯ ପ୍ରତିଶତ ଥିଲା ଯେତେବେଳେ ଦେଶର କ୍ଷତି ୯.୫ ପ୍ରତିଶତ ଥିଲା। ଏହା ଛଡା କେନ୍ଦ୍ର ସରକାରଙ୍କୁ ସେ ଦେଇଥିବା ସ୍ମାରକପତ୍ର ଆଧାରରେ ରାଜ୍ୟରେ ଗୋଟିଏ ବି ଉନ୍ନତିମୂଳକ କାର୍ଯ୍ୟକୁ କେନ୍ଦ୍ର ଅନୁମୋଦନ ନ କରିବା ସତ୍ତ୍ୱେ ଦେଶଠୁ ରାଜ୍ୟ ବେଶ୍ ଅଗ୍ରଣୀ ଥିଲା ଓ ରହିଛି ବୋଲି ନାରାୟଣ ସାମୀ କହିଛନ୍ତି।

ସେହିପରି ରାଜ୍ୟରେ ସ୍ଥିର ସରକାରକୁ ଭାଙ୍ଗିବା ଲାଗି ଷଡ଼ଯନ୍ତ୍ର ବ୍ୟତୀତ କେନ୍ଦ୍ର ସରକାର ଆଉ ରାଜ୍ୟ ପାଇଁ କଣ କରିଛନ୍ତି ବୋଲି ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ଏଣୁ ଆଗକୁ ଭାଷଣବାଜୀ କରିବା ବେଳେ ଅନୁନ୍ୟ ତଥ୍ୟ ପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି ସାମୀ କହିଛନ୍ତି।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସାମୀ କହିଛନ୍ତି ଯେ ପୁଡୁଚେରୀ ଏକ କେନ୍ଦ୍ର ଶାସିତ ପ୍ରଦେଶ ଓ ଏହାର ବିକାଶ ଓ ବିନାଶ ଉଭୟ ଲାଗି କେନ୍ଦ୍ର ସରକାର ଦାୟୀ। ଏହା ସତ୍ତ୍ୱେ ରାଜ୍ୟର ବିକାଶ ଲାଗି ରାଜ୍ୟର କଂଗ୍ରେସ ସରକାର ଯାହାବି ବିକାଶମୂଳକ କାର୍ଯ୍ୟ ହାତକୁ ନେଉଥିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏଥିରେ ପ୍ରତିବନ୍ଧକ ଛିଡା କରୁଥିଲେ।

ଏ ନେଇ ବାରମ୍ବାର ଅଭିଯୋଗ ପରେ ଶେଷରେ ଦୋଷ ପ୍ରମାଣିତ ହେବାରୁ ରାଷ୍ଟ୍ରପତି ଏଠାରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ହଟାଇଛନ୍ତି । ଏହା ସତ୍ତ୍ୱେ ତାଙ୍କ ସରକାର ରାଜ୍ୟର ଏଙ୍ଗ୍ଲୋଫ୍ରେଞ୍ଚ ଟେକ୍ସଟାଇଲ ସମେତ ୩ଟି ଟେକ୍ସଟାଇଲ ମିଲର ଉନ୍ନତିକରଣ ଲାଗି ପଦକ୍ଷେପ ନେଇଥିବା ସାମୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.