ବିମୁଦ୍ରୀକରଣ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିନଥିଲେ ପ୍ରଧାନମନ୍ତ୍ରୀ : ପ୍ରଣବମୁଖାର୍ଜୀ ସଂସ୍ମରଣ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୫।୧: ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀଙ୍କ ସଂସ୍ମରଣ (ମେମୋର) ଉଦ୍ଧୃତି ପୁଣି ପ୍ରସାରିତ ହୋଇଛି। ଯେଉଁଥିରେ ନଭେମ୍ବର ୨୦୧୬ ଦେଶରେ ବିମୁଦ୍ରୀକରଣ ( ଡିମନିଟାଇଜେସନ) ସମୟର ପରିସ୍ଥିତି ସମୟର ଅଭିଜ୍ଞତା ରାଷ୍ଟ୍ରପତି ତାଙ୍କସଂସ୍ମରଣରେ  ବଖାଣିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଏତେବଡ ପଦକ୍ଷେପ ନେବାକୁ ଯାଉଥିଲେବି ରାଷ୍ଟ୍ରପତି ଭାବେ ତାଙ୍କୁ ଲେସମାତ୍ର ସୂଚିତ କରିନଥିବା ସେ ଉଲ୍ଲେଖ କରିଛନ୍ତି।

୩୧ ଅଗଷ୍ଟ ୨୦୨୦ରେ ଇହଲିଳା ସମ୍ବରଣ କରିଥିବା ପ୍ରଣବଙ୍କ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ନାମରେ ଏହି ପୁସ୍ତକ ତାଙ୍କ ଜୀବନକାଳରେ ରଚିତ ଚତୁର୍ଥ ପୁସ୍ତକ। ଯେଉଁଥିରେ ବିୁମୁଦ୍ରୀକରଣ ନେଇ ପ୍ରଣବ ଲେଖିଛନ୍ତି ଯେ ‘ମୁଁ ଏହି କଥାରେ ଦୃଢ ନିଶ୍ଚିତ ଯେ ପୂର୍ବ ପରାମର୍ଶରେ ବିମୁଦ୍ରାକରଣ କରାଯାଇ ପାରି ନଥାନ୍ତା, କାରଣ ଏପରି ଘୋଷଣା ଲାଗି ଅଚାନକ ଓ ଅପ୍ରତ୍ୟାସୀତ ଘୋଷଣା ବାସ୍ତବିକ ଆବଶ୍ୟକତା ଥିଲା’। ନଚେତ ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଫଳ ହୋଇଥାନ୍ତା।

ଏଣୁ ଏ ନେଇ ସାର୍ବଜନିକ ଘୋଷଣା ପୂର୍ବରୁ ମୋ ସହ ଆଲୋଚନା କରାଯାଇ ନଥିବାରୁ ମୋତେ ଆଦୌ ଆଶ୍ଚର୍ଯ୍ୟ ହେବାର ନଥିଲା। ତାଙ୍କର ଏହି ନାଟକୀୟ ଘୋଷଣା ତାଙ୍କ ବ୍ୟକ୍ତିତ୍ୱ ସହ ମଧ୍ୟ ଫିଟ୍ ଥିଲା। ତେବେ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ମୋଦି ସିଧା ରାଷ୍ଟ୍ରପତି ଭବନକୁ ଆସି ଏପରି ପଦକ୍ଷେପ ନେବାର ତାତ୍ପର୍ଯ୍ୟ ବୁଝାଇଥିଲେ। ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଭାବେ ସେ ମୋ ଠାରୁ ପ୍ରସଙ୍ଗରେ ସ୍ପଷ୍ଟ ସମର୍ଥନ ଚାହିଁଥିଲେ।

ତାଙ୍କୁ ଇସାରାରେ  ଏହା ଏକ ଦୁଃସାହାସିକ ପଦକ୍ଷେପ ବୋଲି ପ୍ରଣବ କହିଥିବାର ଉଲ୍ଲେଖ କରିଛନ୍ତି। ତେବେ ଏପରି ପଦକ୍ଷେପ ଦେଶକୁ ଏକ ସ୍ଥାୟୀ ଆର୍ଥିକ ମାନ୍ଦାବସ୍ଥାକୁ ନେଇଯିବ ବୋଲି ତତ୍କାଳୀନ ରାଷ୍ଟ୍ରପତି ସତର୍କ କରିଥିଲେ। ଏଥିରେ ଯେପରି ଗରିବ ଲୋକେ ପ୍ରଭାବିତ ନ ହୁଅନ୍ତି ସେଥିଲାଗି ଅତ୍ୟାଧିକ ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି ପ୍ରଣବ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ।  

ସେହିପରି ମୋଦିଙ୍କ ବୈଦେଶିକ ନୀତି ନେଇ ମଧ୍ୟ ପ୍ରଣବ ତାଙ୍କ ମେମୋରରେ ବେଶ୍ ଉଲ୍ଲେଖ କରିଛନ୍ତି। ଭାରତ-ପାକିସ୍ତାନ ସମ୍ପର୍କରେ ଯେଉଁ ପରିସ୍ଥିତି ଉପୁଜିଛି ତାକୁ ଦେଖିଲେ ମୋଦିଙ୍କୁ ଲୋହୋର ଉପରେ କେନ୍ଦ୍ରିତ ରହିବାର କୌଣସି କାରଣ ନଥିଲା। ମୋଦି କୌଣସି ବୈଦେଶିକ ନୀତି ପୁଟୁଳି ନେଇ ଆସିନଥିଲେ। ଏହାହିଁ ତାଙ୍କ ବ୍ୟକ୍ତିତ୍ୱର ସବୁଠୁ ଅପ୍ରତ୍ୟାସୀତ ଦିଗ ବୋଲି ଉଲ୍ଲେଖ କରିଛନ୍ତି ପ୍ରଣବ।

ମୋଦି ଡିସେମ୍ବର ୨୦୧୫ରେ ଅଚାନକ ଲାହୋରରେ ଅବତରଣ କରି ତତ୍କାଳୀନ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ। ଯୋଗକୁ ସେଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କ ଜନ୍ମଦିନ ଥିଲା। ସେହିପରି ୨୦୧୮ରେ ଚୀନ୍‌ ରାଷ୍ଟ୍ରପତିଙ୍କୁ  ବାର୍ଷିକ ଅନୌପଚାରିକ ସମ୍ମିଳନୀରେ ଭେଟିଥିଲେ। ଯାହାର ପ୍ରତିଫଳନ ୨୦୧୯ରେ ତାମିଲନାଡୁର ମାଲାପୁରମରେ ପ୍ରତିଫଳିତ ହୋଇଥିଲା।

ରାଷ୍ଟ୍ରପତି ଭାବେ ମୁଖାର୍ଜୀଙ୍କ କାର୍ଯ୍ୟକାଳ ପ୍ରଧାନମନ୍ତ୍ରୀଙ୍କ ସହ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ପ୍ରଣବ ଉଲ୍ଲେଖ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ମୋଦି ଓ ତାଙ୍କ ଦଳଙ୍କୁ ସ୍ପଷ୍ଟ ବହୁମତ ମିଳିଥିଲା। ହେଲେବି ସଂସଦକୁ ସୃଙ୍ଖଳିତ ଚଳାଇବାରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳ ପ୍ରାଥମିକ ଦାୟିତ୍ୱ ନିର୍ବାହ କରିବାରେ ବିଫଳ ହୋଇଥିଲେ। ଶାସକ ଦଳ ଅହମିକତା ପ୍ରଦର୍ଶିତ କରିଥିବା ବେଳେ ବିରୋଧୀ ମଧ୍ୟ ଶାସକଙ୍କୁ ବାଟକୁ ଆଣିବା ଲାଗି  ନିଜ ଦାୟିତ୍ୱ ଠିକରେ ନିର୍ବାହ କରିନଥିବା ତତ୍କାଳୀନ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧି, ଅଟଳ ବିହାରୀ ବାଜପେୟୀ ଅଥବା ମନମୋହନ ସିଂହଙ୍କ ପରି ହୋଇପାରିନାହାନ୍ତି। ଯେଉଁମାନଙ୍କ ଉପସ୍ଥିତି ସଂସଦରେ ସ୍ପଷ୍ଚ ବାରିହେଉଥିଲା। ତେବେ ଆଗାମୀ ବର୍ଷମାନଙ୍କରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଜଣେ ଦାୟିତ୍ୱବାନ ନେତା ହେବେ ଓ ସଂସଦକୁ ଏକ ଫୋରମ ଭାବେ ବ୍ୟବହାର କରିବେ ବୋଲି ପ୍ରଣବ ତାଙ୍କ ପୁସ୍ତକରେ ଆଶାବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.