ରାତି ୮ଟା ଓ ମୋଦିଙ୍କ ଘୋଷଣା, ତିନି ଘୋଷଣାରୁ ଦୁଇଟିକୁ ସାରାଦେଶରେ ମିଳିଛି ସମର୍ଥନ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୩: ସାରା ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ରେ ୫୬୦ଜଣ ସଂକ୍ରମିତ ହୋଇସାରିଲେଣି । ଯେଉଁଥିରୁ ୧୧ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୪୬ ସୁସ୍ଥ ହୋଇସାରିଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

ମଙ୍ଗଳବାର ଦିନ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ମଧ୍ୟରାତ୍ରିରୁ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କୁ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିବା ଜରୁରୀ ଥିଲା । ଦେଶବ୍ୟାପି କରୋନା ଭାଇରସ୍ ଦ୍ରୁତ ଗତିରେ ମାଡିଚାଲିଛି । ଘରେ ଘରେ ପଶିବାର ପ୍ରୟାସ ମଧ୍ୟ ଜାରି ରଖିଛି ଏହି ଭାଇରସ୍ । ତେବେ ଏହାକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା ରକ୍ଷା କରିବା । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୧୨ଟାରୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପି ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ଦେଶବ୍ୟାପି ‘ଜନତା କର୍ଫ୍ୟୁ’ ପାଇଁ ଘୋଷଣା କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଜନତା କର୍ଫ୍ୟୁକୁ ଦେଶବ୍ୟାପି ପାଳନ କରାଯାଇଥିଲା । ଅତ୍ୟାବଶ୍ୟକୀୟ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିଥିଲା । ଟ୍ରେନ୍, ବସ୍ ଆଦି ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଦେଶବାସୀ ସଫଳତାର ସହ ଜନତା କର୍ଫ୍ୟୁକୁ ପାଳନ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଅର୍ପଣ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଜନତା କର୍ଫ୍ୟୁର ସଫଳତା ପରେ କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍ ଡାଉନ୍ ଘୋଷଣା କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ୍ କରି କହିଛନ୍ତି ଯେ, ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରନ୍ତୁନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶବାସୀ ଆଦୌ ଭୟ କରନ୍ତୁନାହିଁ । ଦେଶବ୍ୟାପି ଲକ୍ ଡାଉନ୍ ପରେ ମଧ୍ୟ ଜରୁରୀ ସେବା ଉପଲବ୍ଧ ହେବ । ଜରୁରୀ ଜିନିଷ ମିଳିବ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଆଜି ସେହି ଷ୍ଟେଜ୍ ରେ ଅଛି ଯେଉଁଠାରେ ଆମର ଆଜିର ପଦକ୍ଷେପ ନିର୍ଣ୍ଣୟ କରିବ ଯେ, ଏଭଳି ସଙ୍କଟର ପ୍ରଭାବକୁ ଆମେ କେତେ କମ୍ କରିପାରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, କିଭଳି ସାରା ଦୁନିଆରେ କରୋନା ଭାଇରସ୍ ଦ୍ରୁତ ଗତିରେ ମାଡି ଚାଲିଛି । ପ୍ରଥମେ ୧ଲକ୍ଷ ଲୋକଙ୍କୁ ସଂକ୍ରମିତ ହେବାକୁ ୬୭ ଦିନ ସମୟ ଲାଗିଥିଲା ଏବଂ ପରେ ୨ ଲକ୍ଷ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ୧୧ ଦିନ ସମୟ ଲାଗିଥିଲା । ଏପରିକି ୨ ଲକ୍ଷରୁ ୩ ଲକ୍ଷ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ମାତ୍ର ୩ ଦିନ ସମୟ ଲାଗିଥିଲା ।

ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ ଡାଉନ୍ ଦେଶବାସୀ ନୋଟ୍ ବନ୍ଦୀ ମନେପକାଇଦେଲା । ଠିକ୍ ୩ ବର୍ଷ ୪ମାସ ପୂର୍ବରୁ ୧୬ ନଭେମ୍ବର ୨୦୧୬ରେ ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ନୋଟ୍ ବନ୍ଦୀ ଘୋଷଣା କରିଥିଲେ । ସେହି ସମୟରେ କାହାକୁ ମଧ୍ୟ ଜଣାନଥିଲା ଯେ, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ସେହି ଦିନ ରାତି ୧୨ଟାଠାରୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ କୁ ବନ୍ଦ ଘୋଷଣା କରିଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.