ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି, କୃଷକଙ୍କୁ ଭର୍ଚୁଆଲ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
18/12/2020 at 1:21 PM

ନୂଆଦିଲ୍ଲୀ ୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କୃଷକଙ୍କୁ ଭର୍ଚୁଆଲ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ କୃଷକଙ୍କ ସହ ଅପରାହ୍ନ ୨ଟାରେ ଭିଡିଓକନଫରେନ୍ସିଂରେ ଯୋଡିହେବେ । ରାଜ୍ୟର ପ୍ରାୟ ୨୩ ହଜାର ପଞ୍ଚାୟତରେ ଏହାର ସିଧା ପ୍ରସାରଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ରହିବେ । ଜିଲ୍ଲା ମୁଖ୍ୟାଳୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ବିଜେପି ବିଧାୟକ ଉପସ୍ଥିତ ରହିବେ ।
ଏହି ଅବସରରେ ୧୬୦୦ କୋଟି ଟଙ୍କାର ସହାୟତା ରାଶି ରାଜ୍ୟର ପ୍ରାୟ ୩୫ ଲକ୍ଷ ଚାଷୀଙ୍କ ଖାତାରେ ଦିଆଯିବ । ଖରିଫ ୨୦୨୦ ଫସଲ ହାନିର ସହାୟତା ରାଶିର ବିତରଣ ମଧ୍ୟ ଏଭଳି କରାଯିବ । ପ୍ରାୟ ୨୦୦୦ପଶୁ ଏବଂ ମତ୍ସ୍ୟଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ୨୩ ଦିନ ଧରି ଦିଲ୍ଲୀର ସବୁ ସୀମାରେ ହଜାର ହଜାର କୃଷକ ଡେରା ପକାଇଛନ୍ତି । ଅସହ୍ୟ ଥଣ୍ଡାରେ ମଧ୍ୟ କୃଷକମାନେ ଘରକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି । କେନ୍ଦ୍ର ସରକାର ତିନି ନୂଆ କୃଷି ଆଇନକୁ ରଦ୍ଦ କରିବାକୁ କୃଷକମାନେ ଦାବି କରୁଛନ୍ତି । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ କୃଷକଙ୍କୁ ସମ୍ବୋଧିତ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନେକ ବଡ ବଡ ମନ୍ତ୍ରୀ ମଧ୍ୟ କହିସାରିଛନ୍ତି ଯେ, ନୂଆ କୃଷି ଆଇନରୁ କୃଷକମାନେ ଲାଭବାନ୍ ହେବେ । ଅନ୍ୟପଟେ କେନ୍ଦ୍ର ସରକାର କହୁଛନ୍ତି ବିରୋଧୀ ଏହାର ଫାଇଦା ଉଠାଉଛନ୍ତି ଏବଂ କୃଷକମାନଙ୍କୁ ଉତ୍ତେଜିତ କରୁଛନ୍ତି ।