ଏପର୍ଯ୍ୟନ୍ତ ୧୦୩କୋଟି ଟଙ୍କା ଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : କେବେ, କେଉଁଠି ଏବଂ କାହାକୁ ଦେଇଛନ୍ତି ? ତାଲିକାରେ ପୂରା ହିସାବ
3/09/2020 at 2:52 PM

ନୂଆଦିଲ୍ଲୀ ୩।୯: ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୩ କୋଟି ଟଙ୍କା ଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାର୍ସ ଫଣ୍ଡରେ ପ୍ରଥମେ ଦାନ କରିଥିଲେ । କୋଭିଡ୍-୧୯ ମହାମାରୀ ପାଇଁ ୨୭ ମାର୍ଚ୍ଚରେ ହୋଇଥିବା ଏହି ଫଣ୍ଡରେ ସେ ୨.୨୫ ଲକ୍ଷ ଟଙ୍କା ଦାନ କରିଥିଲେ । କେବଳ ଏତିକି ନୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ୧୦୩ କୋଟି ଟଙ୍କାରୁ ଅଧିକ ଦାନ କରିସାରିଲେଣି ।
ପିଏମ୍ କେୟାର୍ସ ଫଣ୍ଡରେ ପ୍ରଥମ ୫ ଦିନ ମଧ୍ୟରେ ୩,୦୭୬ କୋଟି ଟଙ୍କା ଜମା ହୋଇସାରିଥିଲା । ଏଥିରେ ପ୍ରଥମେ ମୋଦି ୨.୨୫ ଲକ୍ଷ ଟଙ୍କା ଦାନ କରିଥିଲେ । ଏହା ଜାଣିବା ପରେ ଟ୍ବିଟରରେ Rs 2.25 ଟ୍ରେଣ୍ଡ ହୋଇଥିଲା ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟକାଳ ପୂରା କରିବା ପରେ ମୋଦି ଗୁଜୁରାଟ ସରକାରଙ୍କ କର୍ମଚାରୀଙ୍କ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ବ୍ୟକ୍ତିଗତ ଖର୍ଚ୍ଚରୁ ୨୧ ଲକ୍ଷ ଟଙ୍କା ଦାନ ଦେଇଥିଲେ ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ଯାଏଁ ପାଇଥିବା ସମସ୍ତ ଉପହାରର ନିଲାମ ପୁଣି ଥରେ ଆରମ୍ଭ କରିଥିଲେ । ସୁରତରେ ଆୟୋଜିତ ଏକ ନିଲାମୀ କାର୍ଯ୍ୟକ୍ରମରେ ୮.୩୫ କୋଟି ଟଙ୍କା ଜୋଗାଡ କରିଥିଲେ ଯାହା ନମାମୀ ଗଙ୍ଗା ମିଶନକୁ ଦିଆଯାଇଥିଲା ।
ନିକଟରେ ପ୍ରଧାନମନ୍ତ୍ରୀ ଭାବେ ନିଜ କାର୍ଯ୍ୟକାଳରେ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରାପ୍ତ ନିଜର ସ୍ମୃତି ଚିହ୍ନର ନିଲାମୀରେ ୩.୪୦ କୋଟି ଟଙ୍କା ଏକତ୍ରିତ କରିଥିଲେ । ଯାହାକୁ ମଧ୍ୟ ନମାମୀ ଗଙ୍ଗେରେ ଦାନ କରିଦେଇଥିଲେ ।
ଦକ୍ଷିଣ କୋରିଆ ସିଓଲରେ ଶାନ୍ତି ପୁରସ୍କାର ପ୍ରାପ୍ତ କରିବା ପରେ ସେ ତୁରନ୍ତ ଘୋଷଣା କରିଥିଲେ ଯେ, ପୂରା ଅର୍ଥ ରାଶି ସେ ନମାମୀ ଗଙ୍ଗେ ପାଇଁ ଦାନ କରିଦେବେ । ଏହି ଅର୍ଥରାଶି ୧.୩ କୋଟିର ଥିଲା । ସେ ପୂରା ଅର୍ଥରାଶି ଗଙ୍ଗା ନଦୀକୁ ସ୍ବଚ୍ଛ କରିବା ପାଇଁ ଦାନ କରିଥିଲେ ।
୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଖର୍ଚ୍ଚରୁ ୨୧ ଲକ୍ଷ ଟଙ୍କା କୁମ୍ଭ ମେଳାର ସ୍ବଚ୍ଛତା ଏବଂ କର୍ମଚାରୀଙ୍କ କଲ୍ୟାଣ ପାଇଁ ଦାନ କରିଛନ୍ତି ।
ମୋଦି ମୁଖ୍ୟମନ୍ତ୍ରୀ ଭାବେ ପାଇଥିବା ସମସ୍ତ ଉପହାରର ନିଲାମ କରି ୮୯.୯୬ କୋଟି ଟଙ୍କା ଜୋଗାଡ କରିବା ସହ କନ୍ୟା ଖେଳରତ୍ନ ପାଣ୍ଠିରେ ଦାନ କରିଥିଲେ । ଯୋଜନା ମାଧ୍ୟମରେ ବାଳିକା ଶିକ୍ଷାରେ ଟଙ୍କା ଖର୍ଚ୍ଚ ହୋଇଥିଲା ।