ଆଜି ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | June 09, 2019 IST

ନୂଆଦିଲ୍ଲୀ ୯|୬: ଆଜି ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ  ହେବା ପରେ ପଡୋଶୀ ଦେଶ ଗୁଡିକୁ ଗସ୍ତ  କରୁଛନ୍ତି । ପ୍ରଥମେ ମାଳଦ୍ବୀପ ଗସ୍ତ ସାରି ଆଜି ଶ୍ରୀଲଙ୍ଗାରେ  ପହଞ୍ଚିବେ  । ଉଭୟ ଦେଶମଧ୍ୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ସହ ବିଶେଷ ଭାବେ ଆତଙ୍କବାଦ ନିପାତ ପ୍ରତିବଦ୍ଧାତା ଉପରେ ଉଭୟ ରାଷ୍ଟ ମଧ୍ୟରେ ଆଲୋଚନା ହେବ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ଵୀପ ଗସ୍ତ ସାରି ଫେରିଛନ୍ତି ।  ସେଠାରେ ମୋଦିଙ୍କୁ  ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦୀନ’ରେ ସମ୍ମାନିତ କରାଯାଇଛି । ମାଳଦ୍ଵୀପର ରାଜଧାନୀ ମାଲେରେ ପାରମ୍ପରିକ ଶୈଳୀରେ ମୋଦିଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା । ଏହି ଅବସରରେ ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ସୋଲିହ ମଧ୍ୟ ଉପସ୍ଥିତ ଥିଲେ । ଏହି  ସମୟରେ ଭାରତର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ଏହା  ପରେ ଭାରତ ଓ ମାଳଦ୍ଵୀପର ପ୍ରତିନିଧିମଣ୍ଡଳଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଛି । ମାଳଦ୍ଵୀପରେ ପହଞ୍ଚିବା ପରେ ସେଠାକାର ଜାତୀୟ ସଂସଦରେ ଉଦବୋଧନ ଦେଇଛନ୍ତି ମୋଦି । ଏହି  ଅବସରରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । କହିଛନ୍ତି , ଆତଙ୍କବାଦ ଏବେ ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି । ବିଶ୍ୱର ସମସ୍ତ ଦେଶ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ସେ  ଆହ୍ୱାନ ଦେଇଛନ୍ତି । ଏହା ସହ ଯେଉଁ ଦେଶଗୁଡିକ ଆତଙ୍କବାଦଙ୍କୁ ସମର୍ଥନ କରୁଛନ୍ତି କିମ୍ବା ସାହାଯ୍ୟ କରୁଛନ୍ତି, ସେମାନଙ୍କ ମୁଖା ଖୋଲାଯିବା ଆବଶ୍ୟକ ବୋଲି ମୋଦି କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.