ସ୍ପଷ୍ଟ ହେଲା ବିଜେଡି-ବିଜେପିର ପରସ୍ପର ପ୍ରତି ଆଭିମୁଖ୍ୟ, ସମସ୍ତଙ୍କ ନଜର ଥିଲା ପୁଣି ମେଣ୍ଟର ସଂକେତ ମିଳିବ କି ମୋଦି-ନବୀନ ଭେଟରୁ

Published By : Prameya-News7 Bureau | September 22, 2018 IST

ଭୁବନେଶ୍ବର ୨୨|୯: ନବୀନ ମୋଦିଙ୍କ ପରସ୍ପରକୁ ତେରଛା ବାଣ । ଜଣଙ୍କ ଆଟାକ୍ ରେ ଆଉଜଣଙ୍କର କାଉଣ୍ଟର ଆଟାକ୍ । ଆଜି ମୋଦିଙ୍କ ସହ ନବୀନ ଡାୟାସ ସେୟାର କରିବାପରେ କଣ ରହିବ ଏହି ଦୁଇନେତାଙ୍କ ବଡି ଲାଙ୍ଗୁଏଜ୍ ତା ଉପରେ ଥିଲା ସମସ୍ତଙ୍କ ନଜର । ଯେହେତୁ ନିର୍ବାଚନ ପାଖେଇ ଆସୁଛି କିଏ କାହାକୁ କିଭଳି ଆକ୍ଷେପ କରୁଛି କି ନାହିଁ ସେନେଇ ସମସ୍ତେ ଛକାପଞ୍ଛାରେ ଥିଲେ । ହେଲେ ଏହି ଦୁଇନେତା ପରସ୍ପରକୁ ନିଶାନା ସାଧିବାକୁ ଭୁଲିଲେ ନାହିଁ । ମୋଦି ଦଳୀୟ ସଭାରେ ନବୀନ ସରକାର ଉପରେ ବର୍ଷିଲେ ଆଉ ନବୀନ ଭୁବନେଶ୍ବର ଫେରି ମୋଦିଙ୍କୁ ମୁହଁତୋଡ ଜବାବ ଦେଲେ । ଏବେ ସ୍ପଷ୍ଟ ହୋଇଗଲା ଏହି ଦୁଇଦଳ ଆସନ୍ତା ନିର୍ବାଚନ ମୈଦାନରେ ଜୋରଦାର ମୁହାଁମୁହିଁ ହେବେ । ସେପଟେ କଂଗ୍ରେସ କହିଛି ଖାଲି ଭାଷଣରେ ମାତିଛନ୍ତି ବିଜେଡି ଓ ବିଜେପି । ନବୀନ ସରକାର ପିସି ସରକାର । ପିସି କାରବାରରେ ପେଷି ହେଉଛନ୍ତି ଓଡିଶା ଲୋକେ । ଏଭଳି କେଉଁ ଯୋଜନା ନାହିଁ ଯେଉଁଥିରେ ରାଜ୍ୟ ଶାସନରେ ଥିବା ନେତା ଓ ଅଧିକାରୀ ଲାଞ୍ଚ ଖାଉ ନାହାଁନ୍ତି । ପିସି କାରବାର ଏବଂ ନିସ୍ପତି ନେବାରେ ବିଳମ୍ବ ହିଁ ଓଡିଶା ସରକାରଙ୍କ ପରିଚୟ ପାଲଟିଛି । ଝାରସୁଗୁଡା ନୂଆ ଏୟାରପୋର୍ଟ ଲୋକାର୍ପଣ ଉତ୍ସବରେ ନବୀନ ସରକାରକୁ ମୋଦିଙ୍କ ଏଭଳି ସିଧା ସଳଖ ଟାର୍ଗେଟ ପୁରା ରାଜନୈତିକ ସମୀକରଣକୁ ଓଲଟ ପାଲଟ କରିଦେଇଛି । ତାଳଚେର ସାରକାରଖାନା ପୁନରୁଦ୍ଧାର ଓ ଝାରସୁଗୁଡା ଏୟାରପୋର୍ଟ ଲୋକାର୍ପଣ ପରେ ଏହି ଦୁଇ ସ୍ଥାନରେ ଦଳୀୟ ସଭାରେ ମୋଦି ନବୀନ ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା କାହିଁକି ସାମିଲ ହେବାକୁ ମନାକରୁଛି ତାହା ବୁଝାପଡୁନି । ଏହିଯୋଜନାରେ ସାମିଲ ହୋଇଥିଲେ ସାରା ଦେଶର ବିଭିନ୍ନ ମେଡିକାଲରେ ଓଡିଶାର ଲୋକମାନେ ସ୍ବାସ୍ଥ୍ୟ ସେବା ବାବଦକୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ପାଇଥାନ୍ତେ । କେବଳ ସେତିକି ନୁହେଁ, ଟଙ୍କିକିଆ ଚାଉଳ ବାବଦକୁ କେନ୍ଦ୍ର ସରକାର ମାସକୁ ଓଡିଶାକୁ ୪୫୦ କୋଟି ଦେଉଥିବାରୁ ହିଁ ଏହିଯୋଜନା ଚାଲୁଛି କହି ଟଙ୍କିକିଆ ଚାଉଳ ରାଜନୀତି । ବିଗତ କିଛିଦିନ ଧରି ବିଜେଡି ବିଜେପି ଭିତରେ ରାଜନୈତିକ ଦୂରତା କମୁଛି କି ବୋଲି ଚର୍ଚ୍ଚା ହେଉଥିଲା । କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଭୂମିକା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଖୋଦ୍ ମୋଦି ଓ ଅମିତ ସାହାଙ୍କ ନବୀନଙ୍କ ସହ ଟେଲିଫୋନରେ କଥାବାର୍ତ୍ତାକୁ ନେଇ ରାଜ୍ୟ ରାଜନୀତି ସମୀକରଣ ବଦଳିପାରେ ବୋଲି ଆକଳନ କରାଯାଉଥିଲା । କିନ୍ତୁ ମୋଦିଙ୍କ ଗୁଗୁଲି ପୁଣି ବିଜେଡି ବିଜେପି ତୁତୁ ମେଁମେଁକୁ ଆହୁରି ଶାଣିତ କରିଛି । ମୋଦିଙ୍କ ଅଭିଯୋଗ ଉପରେ ଖୋଦ୍ ନବୀନ ହିଁ କାଉଣ୍ଟର ଜବାବ ରଖିଛନ୍ତି । କହିଛନ୍ତି, ନିଜଦଳର କର୍ମୀଙ୍କୁ ଖୁସ୍ କରିବାକୁ ମୋଦି ପିସି କଥା ଉଠାଇଛନ୍ତି । ସ୍କିଲ ଇଣ୍ଡିଆ ଓ ଉଜ୍ଜଳା ସ୍କିମ୍ ରେ ହୋଇଥିବା ଦୁର୍ନୀତିକୁ ଲକ୍ଷକରି ମୋଦି ଏପରି କହିଥିବେ ବୋଲି ନବୀନ କଟାକ୍ଷ କରିଛନ୍ତି । ସେହିଭଳି ଆୟୁଷ୍ମାନ ଯୋଜନାରେ ସାମିଲ ନହେବା ପଛରେ ଅଧିକା ୫୦ ଲକ୍ଷ ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା କାରଣ ଦର୍ଶାଇଛନ୍ତି ନବୀନ । ରାଜ୍ୟ କିଭଳି ଅଧିକା ୨୫ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବା କଥା ବି କହିଛନ୍ତି । ତେବେ ଡିଜେଲ ଓ ପେଟ୍ରୋଲ ଦରବୃଦ୍ଧି ପ୍ରସଙ୍ଗରେ ମୋଦି କାହିଁକି ନୀରବ କହି ନବୀନ ପାଲଟା ଗୁଗୁଲିଫିଙ୍ଗିଛନ୍ତି । ତେବେ ନବୀନ-ମୋଦିଙ୍କ କଳିରେ ନାକ ପୁରାଇଛି କଂଗ୍ରେସ । ଦଳ କହିଛି ଯେଉଁ ସବୁ ପ୍ରକଳ୍ପ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି ତାହା ଉପାସରକାର ବେଳର ପ୍ରକଳ୍ପ। ସାର କାରଖାନା କାହିଁକି ବିଳମ୍ବ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ପ୍ରଶ୍ନ କରିଛନ୍ତି । ନବୀନଙ୍କ ଗସ୍ତ ପରେ ଦିନେ ପରେ ପୁଣି ଓଡିଶା ଗସ୍ତରେ ଆସିବେ ଅମିତ ସାହା । ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବାରୁ ରାଜନୈତିକ ମାହୋଲ ଆଗକୁ ଆହୁରି ଗରମ ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.