'ମୋର ଜଣେ ଭଲ ବନ୍ଧୁ ଥିଲେ ଜେଟଲୀ, ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ' : ମୋଦି

Published By : Prameya-News7 Bureau | August 24, 2019 IST

ନୂଆଦିଲ୍ଲୀ ୨୪|୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଅରୁଣ ଜେଟଲୀ ଜଣେ ବରିଷ୍ଠ ରାଜନେତା, ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ବିଚକ୍ଷଣ ଆଇନବିତ୍ ଥିଲେ । ସେ ଜଣେ ପାରଦର୍ଶୀ ନେତା ଥିଲେ, ଯାହାର ରାଷ୍ଟ୍ର ଗଠନରେ ବିଶେଷ ଭୂମିକା ଥିଲା । ତାଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ଧର୍ମପତ୍ନୀ ସଙ୍ଗିତା ଏବଂ ପୁଅ ରୋହନ ସହିତ କଥା ହେଲି ଏବଂ ସମବେଦନା ଜଣାଇଲି । ଓମ୍ ଶାନ୍ତି ।”

ଅସାଧାରଣ ବୁଦ୍ଧି, ଜ୍ଞାନ, ପ୍ରତ୍ୟୁତ୍ପନ୍ନମତିତା ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ପନ୍ନ ଅରୁଣ ଜେଟଲୀ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲେ । ସେ ଜଣେ ବହୁମୁଖୀ ପ୍ରତିଭା ଥିଲେ ଏବଂ ତାଙ୍କର ଭାରତୀୟ ସମ୍ବିଧାନ, ଇତିହାସ, ପ୍ରଶାସନ, ଲୋକନୀତି ଓ ଆଇନ ସମ୍ପର୍କରେ ଗଭୀର ଜ୍ଞାନ ଥିଲା । ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିଅରରେ ଜେଟଲୀ ବିଭିନ୍ନ ମନ୍ତ୍ରଣାଳୟର ଦାୟୀତ୍ୱ ନେଇ ଭାରତର ଅର୍ଥନୈତିକ ପ୍ରଗତି, ପ୍ରତିରକ୍ଷା କ୍ଷମତା ଦୃଢ଼ୀକରଣ, ଜନସାଧାରଣଙ୍କୁ ସୁହାଉଥିବା ଭଳି ଆଇନ ପ୍ରସ୍ତୁତି ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଦିଗରେ କାର୍ଯ୍ୟ କରିଥିଲେ ।

ବିଜେପି ଏବଂ ଅରୁଣ ଜେଟଲୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ଏବଂ ଅତୁଟ  । ଜଣେ ଉଦୀୟମାନ ଛାତ୍ର ନେତା ଭାବେ ସେ ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ର ସୁରକ୍ଷା ଆନ୍ଦୋଳନର ଅଗ୍ରଦୂତ ସାଜିଥିଲେ ।  ସେ ଆମ ଦଳର ଜଣେ ସୁପରିଚିତ ନେତା ଥିଲେ ।  ସେ ଦଳର ନୀତି ଏବଂ ଦର୍ଶନକୁ ସମାଜର ସବୁ ସ୍ତରରେ ପହଂଚାଇବା ଦିଗରେ କାର୍ଯ୍ୟ କରିଥିଲେ ।

ଜେଟଲୀଙ୍କ ଦେହାନ୍ତରେ ମୁଁ ଜଣେ ବିଶେଷ ବନ୍ଧୁଙ୍କୁ ହରାଇଲି, ଯାହାଙ୍କ ସହିତ  ବହୁ ଦଶନ୍ଧି ଧରି ମୋର ନିବିଡ଼଼ ସମ୍ପର୍କ ଥିଲା । ନୀତି ଓ ଯୋଜନା ସମ୍ପର୍କରେ ତାଙ୍କର ଗଭୀର ଅନ୍ତର୍ଦୁଷ୍ଟି ଓ ଚିନ୍ତାଧାରା ଅତି ନିଆରା ଥିଲା । ସେ ଆମ ସମସ୍ତଙ୍କୁ ବହୁ ସୁଖଦ ଅନୁଭୂତି ମଧ୍ୟରେ ଛାଡିଦେଇ ଚାଲିଯାଇଛନ୍ତି । ଆମେ ସମସ୍ତେ ତାଙ୍କୁ ବହୁତ ମନେପକାଇବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.