ଭାରତରେ ହାରିବ କରୋନା ! ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କହିଲେ ସବୁ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୦୭।୦୩- ଭାରତରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅଦ୍ୟାବଧି ୩୪ ମାମଲା ସାମ୍ନାକୁ ଆସି ସାରିଛି, ଯେଉଁଥିରେ ଦେଶବାସୀଙ୍କ ଚିନ୍ତା ବଢି ଯାଇଛି। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସତର୍କ ହୋଇ ଯାଇଛନ୍ତି। ଶୁକ୍ରବାର କରୋନା ଭୂତାଣୁର ମୁକାବିଲା ମିଶିକି କରିବା କହିବା ପରେ ଶନିବାର ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଓ ସମ୍ବନ୍ଧିତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କରୋନାକୁ ରୋକିବା ଏବଂ ସଂକ୍ରମିତଙ୍କ ଉପଚାର ଲାଗି କେଉଁ କେଉଁ ପଦକ୍ଷେପ ନିଆଯାଇଛି ଅବଗତ କରାଯାଇଥିଲା।

ଫାର୍ମା ବିଭାଗର ସଚିବ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ସଂପ୍ରତି ଦେଶରେ  ପର୍ଯ୍ୟାପ୍ତ  ପରିମାଣରେ ଔଷଧ ମହଜୁଦ ରହିଛି, ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇଙ୍ଗ୍ରୀଡିଏଣ୍ଟ୍ସ(API) ସମେତ ଅନ୍ୟ ଉପଯୋଗୀ ସାମଗ୍ରୀ କେତେ ରହିଛି ସେହି ବିଷୟରେ ସୂଚନା ଦେଇଛନ୍ତି। ଏହି ବୈଠକରେ ସେନାର ସର୍ବୋଚ୍ଚ ଅଫିସର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ଵତ ମଧ୍ୟ ଉପସ୍ଥିତ ଥିଲେ।

କରୋନାକୁ ନେଇ ଅନୁଷ୍ଠିତ ଏହି ମହତ୍ଵପୂର୍ଣ୍ଣ ବୈଠକରେ ସମସ୍ତ ବିମାନ ବନ୍ଦର, ବନ୍ଦର ଓ ଅନ୍ୟ ଦେଶକୁ ସଂଯୋଗ କରୁଥିବା ସଡକ ଉପରେ ନିରନ୍ତର ସତର୍କତା ଓ ନୀରିକ୍ଷଣର ସମୀକ୍ଷା କରାଯାଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କରୋନାର ମୁକାବିଲା ଲାଗି ରାଜ୍ୟଗୁଡିକ ସହିତ ଉତ୍ତମ ସମନ୍ଵୟର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।  ଇରାନରୁ ଭାରତୀୟଙ୍କୁ ବାହାର କରିବା ପାଇଁ କରାଯାଉଥିବା ପ୍ରୟାସ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ବୈଠକ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ନେଇ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଏହା ସହିତ ସମସ୍ତଙ୍କୁ କରୋନା ମୁକାବିଲାରେ ତିଳେ ମାତ୍ର ଅବହେଳା ନକରିବା ଏବଂ କୌଣସି ପ୍ରକାର ପରିସ୍ଥିତିର ସମ୍ମୁଖୀନ ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି। ସେ ଅଫିସରଙ୍କୁ ଦେଶର  ବିଭିନ୍ନ ରାଜ୍ୟରେ ତତ୍ପରତାର ସହ କରୋନା ସଂକ୍ରମିତଙ୍କ ଚିହ୍ନଟ କରିବା ଏବଂ ଉପଚାର ଲାଗି ବ୍ୟବସ୍ଥା କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.