ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ, ୧୦୭ତମ ଜାତୀୟ ବିଜ୍ଞାନ କଂଗ୍ରେସର କରିବେ ଉଦ୍ଘାଟନ
2/01/2020 at 9:20 AM

ନୂଆଦିଲ୍ଲୀ ୨।୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯାଉଛନ୍ତି । ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଟୁମ୍କୁରୁ ଜୁନିୟର କଲେଜ ପଡିଆଠାରେ ହେବାକୁ ଥିବା କୃଷି ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେବେ । ଗତ ଫସଲ ଅମଳ ଋତୁରେ ବିଭିନ୍ନ କିସମର କୃଷି ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୧ଟି ରାଜ୍ୟକୁ ସେ କୃଷିକର୍ମଣ ପୁରସ୍କାର ପ୍ରଦାନ କରିବେ ।
ଏହାବ୍ୟତୀତ ପ୍ରଧାନମନ୍ତ୍ରୀ, ପିଏମ କୃଷି ସମ୍ମାନ ଯୋଜନା ଅଧୀନରେ ସମଗ୍ର ଦେଶର ୮କୋଟି ଚାଷୀଙ୍କୁ ଡିସେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ମିଳିବାକୁ ଥିବା ଅର୍ଥ ବାବଦ ପାଣ୍ଠି ପ୍ରଦାନ କରିବେ । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ପରିଦର୍ଶନ କରିବେ ।
ଶୁକ୍ରବାର ଦିନ ସକାଳେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ସ୍ଥିତ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟରେ ୧୦୭ତମ ଜାତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ କରିବା ସହ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘ ପକ୍ଷରୁ ଘୋଷିତ ବିଭିନ୍ନ ପୁରସ୍କାର ପ୍ରଦାନ କରିବେ । ଚଳିତ ବର୍ଷ ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ହେଉଛି ‘ଗ୍ରାମୀଣ ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ’ ।