ଜସଓ୍ବନ୍ତ ସିଂଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ‘ପ୍ରଥମେ ସୈନିକ ପରେ ରାଜନେତା ଭାବେ କରିଥିଲେ ଦେଶ ସେବା’

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜସୱନ୍ତ ସିଂଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି ଲେଖିଛନ୍ତି ଯେ, ଜସୱନ୍ତ ସିଂ ଉତ୍ସର୍ଗୀକୃତ ଭାବେ ଦେଶର ସେବା କରିଛନ୍ତି । ପ୍ରଥମେ ଜଣେ ସୈନିକ ଭାବରେ ଏବଂ ପରେ ରାଜନୀତି ସହ ଦୀର୍ଘ ସମୟ ଧରି ଜଡିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଟଳ ଜୀଙ୍କ ସରକାର ସମୟରେ ସେ ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡିକ ପରିଚାଳନା କରିଥିଲେ । ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ ନିଜର ଛାପ ଛାଡିଯାଇଥିଲେ । ତାଙ୍କୁ ଦେହାନ୍ତରେ ସେ ଦୁଃଖିତ ବୋଲି ଉଲ୍ଲେଖ କରିଛନ୍ତି ।

ଏହାସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଜସୱନ୍ତ ସିଂଙ୍କୁ ତାଙ୍କର ବୌଦ୍ଧିକ ଦକ୍ଷତା ତଥା ଦେଶ ପାଇଁ ସେବା ପାଇଁ ସ୍ମରଣ କରାଯିବ।  ରାଜସ୍ଥାନରେ ବିଜେପିକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଃଖରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା ଜଣାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.