ହଟ୍‌ସ୍ପଟ୍‌ ଜୋନରେ ଆଗକୁ ବଢିବ ଲକ୍‌ଡାଉନ୍‌ ! ଗ୍ରୀନ ଜୋନରେ ମିଳିବ ରିହାତି, ମେ ୩ରେ ଅନ୍ତିମ ନିଷ୍ପତ୍ତି

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭।୦୪: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଦେଶରେ ଲାଗୁ ଲକ୍‌ଡାଉନ୍‌ର ଅବଧି ମେ ୩ରେ ଶେଷ ହେବାକୁ ଯାଉଛି। ଏମିତିରେ ଆଗାମୀ ରଣନୀତି କଣ ରହିବ, ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି। ସୂତ୍ର ଅନୁଯାୟୀ ମେ ୩ ପରେ ଗ୍ରୀନ ଜୋନ ଅଞ୍ଚଳରେ ଲକ୍‌ଡାଉନ୍‌ରୁ ରିହାତି ଦିଆଯିବ ଅନ୍ୟପଟେ ରେଡ୍‌ ଜୋନ ଇଲାକାରେ ଲକ୍‌ଡାଉନ୍‌ ଆଗକୁ ବଢାଯିବ। ଯେଉଁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ରହିଛି, ସେଠାରେ ଜିଲ୍ଲାଓ୍ଵାରୀ କିଛି ରିହାତି ଦିଆଯିବ। ଏନେଇ ଅନ୍ତିମ ନିଷ୍ପତ୍ତି ମେ ୩ରେ ନିଆଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଲକ୍‌ଡାଉନ୍‌ରୁ ଦେଶକୁ ବହୁତ ଫାଇଦା ମିଳିଛି। ରାଜ୍ୟଗୁଡିକର ସାମୂହିକ ପ୍ରୟାସର ପ୍ରଭାବ ଦେଖିବାକୁ ମିଳିଛି। ଏହି ବୈଠକରେ ରାଜ୍ୟଗୁଡିକ ବଡ ଧରଣର ସୁଧାର ଉପରେ ଦାବି କରିଛନ୍ତି। ମୋଦୀ କହିଛନ୍ତି ସୁଧାର ଦିଗରେ ଯୋଜନା ପ୍ରସ୍ତୁତ କରିବା ଏହା ହେଉଛି ପ୍ରକୃଷ୍ଠ ସମୟ। ରାଜ୍ୟ ସାମାଜିକ ଓ ଆର୍ଥିକ କଲ୍ୟାଣର ସୁଧାର ପାଇଁ ଯୋଜନା କରନ୍ତୁ ଏବଂ ଏହାର ରିପୋର୍ଟ କେନ୍ଦ୍ରକୁ ଦିଅନ୍ତୁ।

କଣ  ରହିଛି ପ୍ରସ୍ତାବ ?

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ହଟ୍‌ସ୍ପଟ୍‌ ଅଞ୍ଚଳରେ ରେଡ୍‌ ଜୋନ ଓ ଗ୍ରୀନ ଜୋନକୁ ଅଧିକରୁ ଅଧିକ ଚିହ୍ନଟ କରି ସେହି ଦିଗରେ କାମ କରିବାର ଆବଶ୍ୟକତା ରହିଛି। ଏହା ଦ୍ଵାରା ଅବସ୍ଥାକୁ କିଛି ମାତ୍ରାରେ ସ୍ଵାଭାବିକ କରାଯାଇ ପାରିବ। ଏହା ମଧ୍ୟ କୁହାଯାଇଛି ଯେ, ରେଡ୍ ଜୋନରେ ଲକ୍‌ଡାଉନ୍‌ ସଂପୂର୍ଣ୍ଣ ଲାଗୁ ରହିପାରେ। ୟୋଲୋ ଜୋନରେ କିଛିଟା କୋହଳ କରାଯିବ। ଅନ୍ୟପଟେ ଗ୍ରୀନ ଜୋନରେ ସଂପୂର୍ଣ୍ଣ ପ୍ରତିବନ୍ଧକ ହଟାଇ ଦିଆଯିବ। ମାତ୍ର ସାମାଜିକ ଦୂରତ୍ଵ ନିୟମକୁ କଡାକଡି ପାଳନ କରାଯିବ।

ଅର୍ଥନୀତିକୁ ନେଇ ଚିନ୍ତା କରନ୍ତୁ ନାହିଁ ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅର୍ଥ୍ୟବ୍ୟବସ୍ଥାକୁ ନେଇ ରାଜ୍ୟ ସରକାର ଚିନ୍ତା କରନ୍ତୁ ନାହିଁ। ଆମର ଅର୍ଥବ୍ୟବସ୍ଥା ଭଲ ରହିଛି। ମାତ୍ର ଆମକୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ଏହା ଉପରେ ରାଜ୍ୟ ସରକାରଙ୍କୁ ବିସ୍ତାର ସହ କାମ କରିବାକୁ ପଡିବ।

୯ ରାଜ୍ୟ  ମୁଖ୍ୟମନ୍ତ୍ରୀଙ୍କ ଠାରେ ରଖିଲେ ନିଜର ପ୍ରସ୍ତାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା  ବେଳେ ପ୍ରାୟ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର କଥା ରଖିଛନ୍ତି। କରୋନା ସଙ୍କଟକୁ ନେଇ ନିଜର ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ମେଘାଳୟ, ମିଜୋରାମ ଓ ହିମାଚଳ ପ୍ରଦେଶକୁ ଛାଡି ବାକି ରାଜ୍ୟ ଲକ୍‌ଡାଉନ୍‌କୁ ମେ ୩ ପରେ ପର୍ଯ୍ୟାୟକ୍ରମେ ହଟାଇବା ସପକ୍ଷରେ ଅଛନ୍ତି। କେବଳ ମେଘାଳୟ ଓ ହିମାଚଳ ପ୍ରଦେଶ ଲକ୍‌ଡାଉନ୍‌କୁ ଆଗକୁ ବଢାଇବାକୁ ଅପିଲ୍ କରିଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଦି ଉପସ୍ଥିତ ଥିଲେ।

ନଅ ରାଜ୍ୟକୁ କହିବାକୁ ମିଳିଲା ସୁଯୋଗ

ଆଜିର ବୈଠକରେ ଓଡିଶା, ମେଘାଳୟ, ମିଜୋରାମ, ପଣ୍ଡିଚେରୀ, ଉତ୍ତରାଖଣ୍ଡ,  ହିମାଚଳ ପ୍ରଦେଶ, ବିହାର, ଗୁଜରାଟ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ମିଳିଥିଲା। ସୂତ୍ର ଅନୁସାରେ ପ୍ରତ୍ୟେକ ବୈଠକରେ ଅଲଗା ଅଲଗା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ମିଳିଥାଏ। ଯଦି ଗୋଟିଏ ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦିଆଯାଏ ତେବେ ବୈଠକ ଦୀର୍ଘ ସମୟ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.