ପୁଣି ଥରେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋଭିଡ-୧୯ ସ୍ଥିତି ଉପରେ କରିବେ ଆଲୋଚନା
20/09/2020 at 10:33 AM

ନୂଆଦିଲ୍ଲୀ ୨୦/୦୯: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ। କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୩ ଲକ୍ଷରେ ପହଞ୍ଚିଲାଣି। ଏହା ସହ ଦେଶରେ କରୋନାର ୯୩୩୩୭ ନୂଆ ମାମଲା ଆସିସାରିଛି। କରୋନାର ସ୍ଥିତି ଦିନକୁ ଦିନ ବିଗୁଡିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। କରୋନା ସଂକ୍ରମଣ ସ୍ଥିତିକୁ ନେଇ ଆଲୋଚନା କରିବେ ପିଏମ ମୋଦି।
ଦିନକୁ ଦିନ କରୋନା ପରିସ୍ଥିତି ବିଗିଡ଼ି ଚାଲିଛି। ସରକାରଙ୍କ ଦ୍ବାରା ଗ୍ରହଣ କରାଯାଉଥିବା ତମାମ ପଦକ୍ଷେପ ମଧ୍ୟ ଏହାକୁ ରୋକିବାରେ ସଫଳ ହେଉ ନାହିଁ। ଏହା ସହ ସରକାରୀ ପଦକ୍ଷେପ ସତ୍ବେ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଏହି କ୍ରମରେ ଦେଶରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏ ସବୁକୁ ନଜରରେ ରଖି ମୋଦି ବୈଠକ କରିବା ନିଷ୍ପତି ନେଇଥିବା କୁହାଯାଉଛି। ସେ ବୈଠକ ଖୁବଶୀଘ୍ର କରିବେ। ଅର୍ଥାତ ମହାମାରୀ ସ୍ଥିତି ସମୀକ୍ଷା କରିବା ପାଇଁ ସେପ୍ଟେମ୍ବର ୨୩ରେ ସାତଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦି।
ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନାରେ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ। ଏହା ପୂର୍ବରୁ ମୋଦି ଅଗଷ୍ଟ ୧୧ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏବେ ପୁଣି ଥରେ ସେମାନଙ୍କ ସହ ଆଲୋଚନା କରି କରୋନା ସ୍ଥିତି ସମୀକ୍ଷା କରିବେ।