କୋଇଲା ଖଣି ନିଲାମ ଲଞ୍ଚ୍ କଲେ ମୋଦୀ, କହିଲେ- ‘କୋଭିଡ୍ ସଙ୍କଟ ମଧ୍ୟରେ ଏହା ଦେଶର ଅର୍ଥନୀତିକୁ ମଜବୁତ କରିବ’
18/06/2020 at 3:51 PM

ନୂଆଦିଲ୍ଲୀ, ୧୮|୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ୪୧ଟି କୋଇଲା ଖଣିର ନିଲାମ ପ୍ରକ୍ରିୟାକୁ ଲଞ୍ଚ୍ କରିଛନ୍ତି । ଏହାସହ ଦେଶର ଅର୍ଥନୀତିକୁ ମଜବୁତ କରିବା ପାଇଁ କଣ କରାଯିବ ସେନେଇ ମଧ୍ୟ ସମ୍ୟକ ଭାବେ ଏହି ଲଞ୍ଚିଂ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।
ମୋଦୀ କହିଛନ୍ତି ଯେ, ଏହି ଜଟିଳ ପରିସ୍ଥିତିରେ ଆଶା ଓ ବିଶ୍ୱାସ ବହୁତ ବଡ ସନ୍ଦେଶ ଦେଇଥାଏ । ଭାରତ କରୋନା ସହ ଲଢିବ ଓ ଆଗକୁ ବଢିବ ମଧ୍ୟ । ଆମେ ଆତ୍ମନିର୍ଭର ଭାରତ ହୋଇପାରିବା। ୧୩୦ କୋଟି ଭାରତୀୟ ଏହି ଯାତ୍ରା ଆରମ୍ଭ କରିଛନ୍ତି । କିଛି ସପ୍ତାହ ପୂର୍ବରୁ ଆମେ ମାସ୍କ ଓ ପିପିଇ କିଟ୍ ବାହାରୁ ମଗାଉଥିଲେ । ଏବେ ଦେଶରେ ଏହା ତିଆରି ହୋଉଛି । ଏହି ନିଲାମି ଏପରି ସମୟରେ ହୋଇଛି ଯେତେବେଳେ ଭାରତର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ସାଧାରଣ ହେବାରେ ଲାଗିଛି । ଏହା ହିଁ ଉପଯୁକ୍ତ ସମୟ । ଏହା ଦ୍ୱାରା ଦେଶର ଆଦିବାସୀ ଅଞ୍ଚଳରେ ବିକାଶର ଆଲୁଅ ପହଁଚିପାରିବ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଇଲାକୁ ଗ୍ୟାସ ତିଆରି ପାଇଁ ଏବେ ଟେକ୍ନୋଲୋଜି ଆସିଯିବ । ଫଳରେ ପରିବେଶ ସୁରକ୍ଷା ମଧ୍ୟ ହୋଇପାରିବ । ୨୦୩୦ ସୁଦ୍ଧା ପ୍ରାୟ ୧୦୦ ମିଲିୟନ ଟନ୍ କୋଇଲାକୁ ଗ୍ୟାସିଫାଇ କରାଯିବ । ଏଥିପାଇଁ ୪ଟି ପ୍ରକଳ୍ପ ହେବ ଓ ପ୍ରାୟ ୨୦ ହଜାର କୋଟି ଚଙ୍କା ନିବେଶ କରାଯିବ । କୋଇଲା ଉତ୍ପାଦନ ବୃଦ୍ଧି ପାଇଲେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବା ସହ ଷ୍ଟିଲ୍ , ଆଲୁମିନିୟମ, ସିମେଣ୍ଟ ଭଳି ସେକ୍ଟର ଉପରେ ସକରାତ୍ମକ ପ୍ରଭାବ ପଡିବ । କୋଇଲା ଶିଳ୍ପକୁ ଆତ୍ମନିର୍ଭର କରାଯିବ । କୋଇଲା ଶିଳ୍ପକୁ ମଜବୁତ କରାଯିବ । ଭାରତ ଏବେ ଆମଦାନୀ ଉପରେ ନିର୍ଭରତା କମ କରିବ । ଭାରତ ଏବେ ବିଦେଶୀ ମୁଦ୍ରା ସଞ୍ଚୟ କରିବ । ଏପରି କରିବା ଦ୍ୱାରା ଦେଶର ବିକାଶ ହୋଇପାରିବ । ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆଜି ଯାହା ଆମେ ଆମଦାନୀ କରୁଛେ କାଲି ତାହାକୁ ରପ୍ତାନୀ କରିବ ।