ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ନଜର ପକାନ୍ତୁ ବୈଠକର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା ଉପରେ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ, ୧୧|୦୫ :    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କରୋନା ଭାଇରସକୁ ନେଇ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପରାମର୍ଶ ଦେବା ସହ ଅନେକ ସୂଚନା ଦେଇଥିଲେ । ଏପରିକି କିଛି ପ୍ରସ୍ତାବ ମଧ୍ୟ ରଖିଥିଲେ । ଏହି ଆଲୋଚନାରେ ପ୍ରବାସୀ ଶ୍ରମିକଙ୍କ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଆସନ୍ତୁ ନଜର ପକାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନାର ୧୦ଟି ପ୍ରମୁଖ କଥା

୧ ମୋଦୀ କହିଥିଲେ ଯେ, ସାରା ବିଶ୍ୱ ଭାରତ ସଫଳତାପୂର୍ବକ କରୋନା ମୁକାବିଲା କରୁଛି । ସମସ୍ତ ରାଜ୍ୟ ସରକାର ଏଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

୨ ଆରମ୍ଭରୁ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ରୁହନ୍ତୁ ବୋଲି ଯୋର ଦିଆଯାଇଥିଲା । କିନ୍ତୁ ଘରକୁ ଫେରିବା ସମସ୍ତଙ୍କ ପାଇଁ ଜରୁରୀ । ତେଣୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା । ଏହାପରେ ମଧ୍ୟ ସଂକ୍ରମଣ ଯେପରି ନବ୍ୟାପେ ତାହା ଉପରେ ଧ୍ୟାନ ଦିଆଯାଇଥିଲା । ଯାହା ବଡ ଚ୍ୟାଲେଞ୍ଚ ଥିଲା ।

୩ ଆଲୋଚନାରେ ଗୃହମନ୍ତ୍ରୀ ଅମିତ ଶାହ ଆରୋଗ୍ୟ ସେତୁ ଆପ୍ ବାବଦରେ ଉଲ୍ଲେଖ କରିଥିଲେ । ଏପରିକି ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ଏହାକୁ ଲୋକପ୍ରିୟ କରାନ୍ତୁ ବୋଲି ସେ କହିଥିଲେ । ଏହି ଆପ୍ଲିକେସନ କରୋନା ଭାଇରସ ଉପରେ ନଜର ରଖିବାରେ ସାହାଯ୍ୟ କରିବ ।

୪ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟ୍ରେନ ସେବା ଆରମ୍ଭ ହେଲେ କରୋନା ସଂକ୍ରମଣର ଅଧିକ ବିପଦ ଥିବା କହିଥିଲେ । ଏପରିକି ସ୍କ୍ରିନିଂ କରିବା ଅସମ୍ଭବ ବୋଲି ସେ କହିଥିଲେ । ଟ୍ରେନ୍ ସେବାକୁ ଅନୁମତି ମିଳିବା ଅନୁଚିତ ବୋଲି ସେ କହିଥିଲେ ।

୫ ମୋଦୀଙ୍କ ସହ ଆଲୋଚନାରେ ତାମିଲନାଡୁ ୨୦୦୦ କୋଟିର ଏନଏଚଏମ  ଫଣ୍ଡ ଅତିଶୀଘ୍ର ଜାରି କରିବା ପାଇଁ ଦାବି କରିଥିଲା ।

୬ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି କହିଥିଲେ ଯେ, ପ୍ରାୟ ୩୦ ହଜାର ଲୋକଙ୍କୁ ଅତି ସମ୍ବେଦନଶୀଳ ମନେକରାଯାଇ ଯାଂଚ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି । କରୋନା ପଜିଟିଭ୍ ପରିବାର ସାମାଜିକ ବାସନ୍ଦର ଶିକାର ହେଉଛନ୍ତି ।

୭ ଜଗନମୋହନ ରେଡ୍ଡି ସେଲ୍ପ ଆଇସୋଲେସନକୁ ଗୁରୁତ୍ୱ ଦେଇଥିଲେ । ଭାକସିନ୍ ପ୍ରସ୍ତୁତି ହେବା ଯାଏଁ ସମସ୍ତେ ସତର୍କ ଓ ସାବଧାନ ରହିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ ।

୮ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ରାଜ୍ୟ ଅନ୍ତରାଷ୍ଟ୍ରୀୟ ସୀମା ଓ ଅନେକ ବଡ ରାଜ୍ୟର ସୀମା ଦ୍ୱାରା ଆବଦ୍ଧ । ତେଣୁ ଅଧିକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ସମସ୍ତ ରାଜ୍ୟକୁ ସମାନ ମହତ୍ୱ ମିଳିବା ଦରକାର ଓ ଟିମ୍ ଇଣ୍ଡିଆ ଭଳି କାମ କରିବା ଉଚିତ ବୋଲି ସେ କହିଥିଲେ .

୯ ମମତା ଆହୁରି କହିଥିଲେ ଯେ, ସେ କରୋନା ମୁକାବିଲା କ୍ଷେତ୍ରରେ ସମସ୍ତ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ଏହି ସମୟରେ ରାଜନୀତି ନକରୁ ବୋଲି ସେ କହିଥିଲେ ।

୧୦ ଗୁଜୁରାଟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକଡାଉନକୁ କେବଳ କଣ୍ଟେନମେଣ୍ଟ ଜୋନରେ ସୀମିତ ରଖାଯାଉ । ସୁରକ୍ଷିତ ଭାବେ ଆର୍ଥିକ ଗତିବିଧିକୁ ମଞ୍ଜୁରି ମିଳୁ । ଏହାସହ ଖରା ଛୁଟି ପରେ ସ୍କୁଲ, କଲେଜ ଆଦି ଖୋଲାଯାଇ ସାର୍ବଜନିକ ପରିବହନ ଆରମ୍ଭ ହେଉ ବୋଲି ସେ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.