କିଛି କୋହଳ ସହିତ ପ୍ରଧାନମନ୍ତ୍ରୀ ସୋମବାର କରି ପାରନ୍ତି ଲକ୍ଡାଉନ୍-୨ର ଘୋଷଣା
12/04/2020 at 3:54 PM

ନୂଆଦିଲ୍ଲୀ ୧୨।୦୪: ଏପ୍ରିଲ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ଲକ୍ଡାଉନ୍-୨ ଘୋଷଣା କରି ପାରନ୍ତି। ଲକ୍ଡାଉନ୍-୨ରେ କୃଷି, ଚିକିତ୍ସା, ଶିକ୍ଷା, ମତ୍ସ୍ୟ ପାଳନ, କପଡା ସମେତ କିଛି କ୍ଷେତ୍ରରେ କୋହଳ ଦିଆଯିବାର ସମ୍ଭାବନା ରହିଛି। ମାତ୍ର ସାମାଜିକ ଦୂରତ୍ଵ ବଜାୟ ରଖିବା ସର୍ତ୍ତ ଆଧାରରେ ଏସବୁ କ୍ଷେତ୍ର ଉପରେ ରିଲିଫ୍ ଦିଆଯାଇପାରେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ କାମ କରିବାକୁ ଘରୁ ବାହାରୁଥିବା ଲୋକଙ୍କୁ ମୁହଁରେ ସଫା ତଉଲିଆ, ରୁମାଲ ବାନ୍ଧିବା କିମ୍ବା ମାସ୍କ ଲଗାଇବାକୁ ପରାମର୍ଶ ଦେଇ ପାରନ୍ତି।
ମଙ୍ଗଳବାର ଏପ୍ରିଲ ୧୪ରେ ଲକ୍ଡାଉନ୍ର ପ୍ରଥମ ପର୍ଯ୍ୟାୟ ଶେଷ ହେଉଛି। କେନ୍ଦ୍ର ସଚିବାଳୟ ସୂତ୍ର ଅନୁଯାୟୀ ଏପ୍ରିଲ ୧୩ରେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍-୨ ଘୋଷଣା କରି ଜନତାଙ୍କୁ ପୁଣି ଥରେ ଅନୁଶାସନର ପାଠ ପଢାଇବେ।
ସୂତ୍ର ଅନୁଯାୟୀ ପୋଷାକ ନିର୍ମାତାକାରୀ କମ୍ପାନୀ ରେମଣ୍ଡ ମଧ୍ୟ କୋଭିଡ୍-୧୯ ଲଢେଇ ପାଇଁ କିଛି ସମ୍ବଳ ଏକତ୍ର କରୁଛି। ଏହି ପରି ଟେକ୍ସ ଟାଇଲ୍ କ୍ଷେତ୍ର ସହ ଜଡିତ କିଛି କମ୍ପାନୀ ମାସ୍କ, ବେଡ୍ସିଟ୍ ସମେତ ଅନ୍ୟ ଜରୁରୀ ସାମଗ୍ରୀ ଉପଲବ୍ଧ ପାଇଁ ଆଗକୁ ଆସିଛନ୍ତି। ଭେଣ୍ଟିଲେଟର ନିର୍ମାଣ ପାଇଁ ଆଗକୁ ଆସିଥିବା କିଛି କମ୍ପାନୀକୁ କଞ୍ଚା ମାଲ୍ କ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।
ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ ଜନତାଙ୍କୁ ସେମାନଙ୍କର ଦାୟିତ୍ଵ ବିଷୟରେ କହି ସଚ୍ଚୋଟତାର ସହ ଲକ୍ଡାଉନ୍ ପାଳନ କରିବାକୁ ଅନୁରୋଧ କରିବେ। ସୂତ୍ର ଅନୁଯାୟୀ ଲକ୍ଡାଉନ୍-୨ରେ ସରକାରଙ୍କ ଭୂମିକା ମନିଟରିଂ କରିବା, ଲକ୍ଡାଉନ୍ର ପାଳନ କରିବା, ମାସ୍କ, ଗାମୁଛା, ତଉଲିଆ ମୁହଁରେ ବାନ୍ଧି ବାହାରିବା ଆଦି ସୁନିଶ୍ଚିତ କରିବେ। ଯଦ୍ଵାରା କୋଭିଡ୍-୧୯ ସଂକ୍ରମଣ ବ୍ୟାପିବାକୁ ରୋକା ଯାଇ ପାରିବ।
ଉଲ୍ଲେଖଯୋଗ୍ୟ ଗତକାଲି ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ। ଏହି ବୈଠକରେ ଅଧିକାଂଶ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ପ୍ରସ୍ତାବ ଦେଇଥିଲେ। ଏହାକୁ ଗମ୍ଭୀରତାର ସହ ନେଇ ଦେଶରେ ଏପ୍ରିଲ ୧୪ରେ ଶେଷ ହେବାକୁ ଥିବା ଲକ୍ଡାଉନ୍ କେନ୍ଦ୍ର ସରକାର ବଢାଇବାକୁ ପ୍ରସ୍ତୁତି କରି ସାରିଛନ୍ତି।