୯୯ ବର୍ଷୀୟ ପୂର୍ବତନ ବିଧାୟକ ଦାନ କଲେ ସଞ୍ଚୟ ରାଶି, ଫୋନ କରି କେମିତି ଅଛ ପଚାରିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 20, 2020 IST

ଅହମଦାବାଦ ୨୦।୦୪: କରୋନା ଭାଇରସ୍‌ ମୁକାବିଲାରେ ନିଜର ସଞ୍ଚୟ ରାଶି ଦାନ କରିଥିବା ଗୁଜରାଟର ପୂର୍ବତନ ବିଧାୟକ ରତ୍ନାଭାଇ ଠୁମରେଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଛନ୍ତି। ସେ ପୂର୍ବତନ ବିଧାୟକଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି  ବୁଝିଛନ୍ତି। କରୋନା ମୁକାବିଲା ପାଇଁ ନିଜର ସଞ୍ଚୟ ରାଶି ଦାନ କରିଥିବାରୁ ଥୁମରେଙ୍କୁ ପ୍ରଧାନମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି। ସୂତ୍ର ଅନୁଯାୟୀ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପାଖାପାଖି ୩ ମିନିଟ୍ ଚାଲିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥାବାର୍ତ୍ତା ସମୟରେ ଠୁମରେଙ୍କୁ କହିଛନ୍ତି ଯେ, ମୁଁ ଆପଣଙ୍କୁ କରୋନା ବିରୋଧୀ ଲଢେଇରେ ଆପଣଙ୍କ ଯୋଗଦାନ ପାଇଁ ଫୋନ କରିଛି। ଆପଣ ଏହି ବୟସରେ ବି ମହତ୍ କାମ  କରିଛନ୍ତି। ଆପଣଙ୍କ ସ୍ଵାସ୍ଥ୍ୟବସ୍ଥା କେମିତି ଅଛି ? ଏହା ଉପରେ ଥୁମରେ କହିଛନ୍ତି ସ୍ଵାସ୍ଥ୍ୟବସ୍ଥା ତ ଠିକ୍ ଅଛି କିନ୍ତୁ କାନକୁ କମ୍ ଶୁଣାଯାଉଛି। ମୋତେ ୧୦୦ ବର୍ଷ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି।

କଥାବାର୍ତ୍ତା ବେଳେ ରତ୍ନା ବାପା ଠୁମରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ଆପଣ ମନେ ପଡନ୍ତି, ଦେଶର ଉନ୍ନତି କରନ୍ତୁ, ଆମେ ତ କିଛି କରି ପାରିଲୁ ନାହିଁ। ପ୍ରତି ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାପା ଆମେ ତ ଆପଣଙ୍କୁ ବହୁତ ମନେ ପକାଉ।

{"id":257563,"sizeSlug":"large"}

ପ୍ରଧାନମନ୍ତ୍ରୀ ଠୁମରେଙ୍କୁ କହିଛନ୍ତି ଯେ,ଥରୁଟିଏ ଜୁନାଗଢ  ଜିଲ୍ଲାର ବିଲଖା ସହର ସ୍ଥିତ ଆପଣଙ୍କ ଘରକୁ ଆସିଥିଲି। ପୁରୁଣା କଥା କିଛି ମନେ ଅଛି କି ? ଏହାର ଉତ୍ତରରେ ଠୁମରେ କହିଲେ ଯେ, ମୁଁ କିଛି ବୁଝି ପାରୁନି ଆପଣ ମୋର ପୁଅ ସହ କଥା ହୁଅନ୍ତୁ। ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କ ପୁଅଙ୍କୁ ପିତାଙ୍କୁ ଏହି ପ୍ରଶ୍ନ ପଚାରିବାକୁ କହିଲେ।

ଉତ୍ତରରେ ରତ୍ନା ବାପା ଠୁମରେ କହିଲେ ଯେ, ହଁ ମନେ ରହିଛି।  ମୋଦୀ ଶଙ୍କର ସିଂହ ବାଘେଲାଙ୍କ ସହ ତାଙ୍କ ଘରକୁ ଆସିଥିଲେ ଏବଂ ପ୍ରାୟ ୩ ଘଣ୍ଟା ରହିଥିଲେ। ପୂର୍ବତନ ବିଧାୟକଙ୍କ ପୁତ୍ର ଧନଜୀ ଭାଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ଯେବେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚେକ୍‌ ଦେବାକୁ ଗଲୁ, ତେବେ ସେଠାରେ ଲିଫ୍ଟ ବନ୍ଦ ଥିଲା। ଏହା ପରେ ସିଡି ଦେଇ ଉପରେ ପହଞ୍ଚିଥିଲୁ। ପ୍ରଧାନମନ୍ତ୍ରୀ କହିଛନ୍ତି ବାପାଙ୍କୁ ମୋର ପ୍ରଣାମ କରି ଦେବ, ତାଙ୍କୁ ମନେ ପଡିବାରୁ ମୁଁ ଫୋନ କରିଥିଲି।

ଉଲ୍ଲେଖଯୋଗ୍ୟ, ଗୁଜରାଟର ପୂର୍ବତନ ବିଧାୟକ ୯୯ ବର୍ଷୀୟ ଠୁମରେ ଏପ୍ରିଲ ୧୭ରେ ଜୁନାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ୫୧ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେ ୧୯୭୫ ରୁ ୧୯୮୦ ପର୍ଯ୍ୟନ୍ତ ମେନ୍ଦରଡା-ମାଡିଆହାଟିର ବିଧାୟକ ରହିଥିଲେ। ସେହି ସମୟରେ ସେ ବେତନ ମଧ୍ୟ ନେଉନଥିଲେ। ଠୁମରେ ବିଧାୟକ ଭାବେ ମିଳୁଥିବା ପେନସନ ମଧ୍ୟ ନିଅନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.