CERA Week-2021 ’ଗ୍ଲୋବାଲ ଏନର୍ଜୀ ଏଣ୍ଡ ଏନଭାରନମେଣ୍ଟ ଲିଡରସିପ୍’ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ ୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ‘ସେରା ୱିକ୍‌ ଗ୍ଲୋବାଲ ଏନର୍ଜୀ ଏଣ୍ଡ ଏନଭାରନମେଣ୍ଟ ଲିଡରସିପ୍‌’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ବେଳେ ପୁରସ୍କାରକୁ ପ୍ରଧାମନ୍ତ୍ରୀ ତାଙ୍କ ମାତୃଭୂମି ଭାରତର ଲୋକଙ୍କୁ ସମର୍ପିତ କରିଛନ୍ତି।  ଯେ କୌଣସି ଭାଷାର ଭାରତୀୟ  ସାହିତ୍ୟ ପଢନ୍ତୁ ନିଶ୍ଚିତ ଜାଣିପାରିବେ ପ୍ରକୃତି ସହ ଭାରତୀୟଙ୍କ ସମ୍ପର୍କ କିପରି ନିବିଡ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏଣୁ ପୁରସ୍କାରକୁ ସେ ଭାରତର ଗୌରବାବହ ପରମ୍ପରା ଲାଗି ସମର୍ପିତ କରୁଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟଙ୍କ ଲାଗି ମହାତ୍ମା ଗାନ୍ଧିଙ୍କ ରୂପରେ ମହାନ ପରିବେଶ ମାର୍ଗଦର୍ଶକ ମଧ୍ୟ ଅଛନ୍ତି। ତାଙ୍କ ପ୍ରଦର୍ଶିତ ମାର୍ଗର ଆମେ ଅନୁସରଣ କଲେ ଜୈନନ୍ଦିନ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସହଜ ସମାଧାନ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହାତ୍ମାଙ୍କ ପୋରବନ୍ଦରସ୍ଥିତ ଘରକୁ ଆସିବା ଲାଗି ସମସ୍ତଙ୍କୁ ଆମନ୍ତ୍ରିତ କରିଛନ୍ତି। ଯେଉଁଠି ଜଳ ସଂରକ୍ଷଣର ବ୍ୟବହାରିକ ଉଦାହରଣ ଆପଣ ଦେଖିବାକୁ ପାଇବେ ବୋଲି କହିଛନ୍ତି । ସେହିପରି ଭାରତ ୨୦୨୧ରେ ୩୭ ନିୟୁତ ଏଲଇଡି ବଲବ୍ ବ୍ୟବହାର କରୁଥିବା ଦେଶରେ ପରିଣତ ହୋଇଥିବା କହିଛନ୍ତି। ଏହା ଦ୍ୱାରା ଦେଶର ଶକ୍ତି ସଞ୍ଚୟ ହୋଇପାରିଥିବା ବେଳେ ପ୍ରତିବର୍ଷ ୩୮ ନିୟୁତ ଟନ୍‌ ସିଓ-୨ଉତ୍ସର୍ଜନ ହ୍ରାସ କରାଯାଇପାରିଛି। 

୧୯୮୩ ମସିହାରେ ଡା.ଡେନିୟେଲ ୟେର୍ଗିନ ସେରାୱିକ୍‌ର ସ୍ଥାପନା କରିଥିଲେ। ଯାହା ଗତବର୍ଷମାନଙ୍କରେ ବିଶ୍ୱର ସର୍ବ ବୃହତ୍ତ ଉର୍ଜା ମଞ୍ଚ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି।  ୧୯୮୩ ମସିହାରୁ ପ୍ରତିବର୍ଷ ଏଥିଲାଗି ହୋଷ୍ଟନରେ  ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ୨୦୧୬ ମସିହାରୁ ବୈଶ୍ୱିକ ନେତୃତ୍ୱ ପୁରସ୍କାର ପ୍ରଦାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.