ନୂଆଦିଲ୍ଲୀ ୧୮।୧୨: କୃଷି ଆଇନ ବିରୋଧରେ ଦିଲ୍ଲୀରେ ଜାରି ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମଧ୍ୟ ପ୍ରଦେଶର କୃଷକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଗୋଟିଏ ପଟେ ତାଙ୍କ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କରାଯାଉଥିବା ବିକାଶମୂଳକ କାମର ଗୋଟି ଗୋଟି କରି ହିସାବ ଦେଇଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀ ଦଳ ଏତିପାଇଁ ଚିନ୍ତିତ ଏବଂ ବିବ୍ରତ ଯେ ସରକାର ଦେଇଥିବା ପ୍ରତିଶ୍ରୁତି କେମିତି ପୂରଣ କରି ଦେଉଛନ୍ତି। ସେମାନଙ୍କୁ ମୋଦୀଙ୍କୁ ମିଳୁଥିବା ଶ୍ରେୟକୁ ନେଇ ଅସୁବିଧା ହେଉଛି। ପ୍ରତିଟି କୃଷକଙ୍କ ଚିନ୍ତାକୁ ଦୂର କରିବାକୁ ପ୍ରୟାସ କରି ମୋଦୀ କହିଛନ୍ତି ଯଦି ଏବେ ମଧ୍ୟ କିଛି କୃଷକଙ୍କ ମନରେ ଆଶଙ୍କା ରହିଛି ତେବେ ତାଙ୍କ ସରକାର ମୁଣ୍ଡ ନୁଆଁଇ କୃଷକଙ୍କ ସାମ୍ନାରେ ହାତ ଯୋଡି ଦେଶର ହିତରେ ପ୍ରତିଟି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ।
ରାତାରାତି ହୋଇ ନାହିଁ ଆଇନ୍
ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକଙ୍କ ସେହି ଦାବିକୁ ପୂରଣ କରାଯାଇଛି ଯାହା ଉପରେ ବର୍ଷ ବର୍ଷ ଧରି ଆଲୋଚନା ଓ ବିଚାର ବିମର୍ଶ ଜାରି ରହିଥିଲା। କୃଷକଙ୍କ ପାଇଁ ଯେଉଁ ଆଇନ୍ ଆସିଛି ତାହା ରାତାରାତି ହୋଇ ନାହିଁ। ଗତ ୨୦-୨୨ ବର୍ଷରୁ ଦେଶର ପ୍ରତ୍ୟେକ ସରକାର ଏହା ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ସମସ୍ତ ସଂଗଠନ ସହ ଆଲୋଚନା କରାଯାଇଛି। ଦେଶର କୃଷକ, ବୈଜ୍ଞାନିକ, ଅର୍ଥଶାସ୍ତ୍ରୀ କୃଷି କ୍ଷେତ୍ରରେ ସୁଧାରର ଦାବି କରି ଆସୁଥିଲେ। କୃଷକଙ୍କୁ ସେମାନଙ୍କୁ ଏବେ ପ୍ରଶ୍ନ କରିବା ଉଚିତ୍ ଯେ, ସେମାନେ ପୂର୍ବେ ନିଜର ନିର୍ବାଚନୀ ଇସ୍ତାହାରରେ କରିଥିବା ଘୋଷଣା କଣ ପୂରଣ କରିଛନ୍ତି। କେବଳ କୃଷକଙ୍କ ନାଁରେ ଭୋଟ୍ ଲୁଟିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସମସ୍ତ ଶ୍ରେୟ ଆପଣ ନିଅନ୍ତୁ
ମୋଦୀ କୌଣସି ରାଜନୈତିକ ଦଳର ନାମ ନନେଇ କହିଛନ୍ତି, ଆଜି ଯଦି ସମସ୍ତ ରାଜନୈତିକ ଦଳର ଘୋଷଣାପତ୍ର ଦେଖାଯିବ ତେବେ ଆଜିର ସୁଧାରରେ ବିଶେଷ କିଛି ଅଲଗା ନାହିଁ। ସେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି। ବିରୋଧୀଙ୍କୁ ଏଥିରେ କୌଣସି ସମସ୍ୟା ନାହିଁ ଯେ, କୃଷି ଆଇନ୍ରେ କଣ ପାଇଁ ସୁଧାର ହେଉଛି। ସେମାନଙ୍କୁ ସସମ୍ୟା ଏହା ଯେ, ମୋଦୀ ସରକାର କାମ କରି ସବୁ କ୍ରେଡିଟ୍ ନେଇ ଯାଉଛନ୍ତି। ମୁଁ ସେମାନଙ୍କୁ ହାତ ଯୋଡି କହୁଛି ଯେ, ଆପଣ ମାନେ ସମସ୍ତ ଶ୍ରେୟ ନିଅନ୍ତୁ ମାତ୍ର କୃଷକଙ୍କୁ ଭ୍ରମିତ କରିବା ଛାଡି ଦିଅନ୍ତୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଆଇନ୍ ଲାଗୁ ହେବାରେ ସାତ ମାସରୁ ଅଧିକ ସମୟ ହୋଇ ଗଲାଣି। ଏବେ ଅଚାନକ କୃଷକଙ୍କ ମଧ୍ୟରେ ଭ୍ରମ ପ୍ରଚାର କରାଯାଇଛି। ସରକାର ବାରମ୍ଵାର ପଚାରୁଛନ୍ତି ଯେ, ଆପଣଙ୍କୁ ଆଇନ୍ରେ କେଉଁ ଧାରାରେ ସମସ୍ୟା ରହିଛି। ହେଲେ ଏହି ସବୁ ରାଜନୈତିକ ଦଳ ପାଖରେ କୌଣସି ଠୋସ୍ ଜବାବ ନାହିଁ। କୃଷକଙ୍କୁ ସେମାନଙ୍କର ଜମି ଚାଲିଯିବାର ଭୟ ଦେଖାଇ ନିଜର ରାଜନୈତିକ ଫାଇଦା ପାଇବାକୁ ଚେଷ୍ଟା କରିଛନ୍ତି। ଯେବେ ଏହି ଲୋକଙ୍କୁ ସରକାର ଚଳାଇବା ପାଇଁ ସୁଯୋଗ ମିଳିଥିଲା ତେବେ ସେମାନେ କୃଷକଙ୍କ ପାଇଁ କଣ କଣ କରିଥିଲେ ତାହା ମନେ ରଖିବାକୁ ପଡିବ।
ହଟିବ ନାହିଁ ଏମଏସପି
ପ୍ରଧାନମନ୍ତ୍ରୀ ଏମଏସପି ଉପରେ ଭରସା ଦେଇ କହିଛନ୍ତି, ଆମକୁ ଯଦି ଏମଏସପି ହଟାଇବାର ଅଛି ତେବେ କାହିଁକି ସ୍ଵାମୀନାଥନ ରିପୋର୍ଟ ଲାଗୁ କଲୁ ? ଆମ ସରକାର ପ୍ରତି ଥର ଧାନ ବୁଣା ପୂର୍ବରୁ ଏମଏସଏପି ଘୋଷଣା କରିଛି। ଏଥିରେ କୃଷକଙ୍କୁ ପୂର୍ବରୁ ଜଣା ପଡିଯାଏ ଯେ ଚଳିତ ଫସଲ ଉପରେ କେତେ ଏମଏସପି ମିଳିବ। ନୂତନ ଆଇନ୍ ହେବା ପରେ ମଧ୍ୟ ଏମଏସଏପି ଘୋଷଣା କରାଯାଇଛି, ଯାହା ପୂର୍ବେ କରାଯାଉଥିଲା। ଦେଶରୁ ଏମଏସପି ହଟିବାର ପ୍ରଶ୍ନ ହିଁ ଉଠୁନାହିଁ। ମୁଁ ଦେଶର ପ୍ରତ୍ୟେକ କୃଷକ ଭାଇମାନଙ୍କୁ ଭରସା ଦେବାକୁ ଚାହୁଁଛି ଯେ, ଏମଏସପି ବନ୍ଦ ହେବ ନାହିଁ। ଏଥିସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଫସଲ ଉପରେ ତାଙ୍କ ସରକାର ଦ୍ଵାରା ବୃଦ୍ଧି କରାଯାଇଥିବା ଏମଏସପିର ସବିଶେଷ ତଥ୍ୟ ରଖିଛନ୍ତି।
ଗୁଜବ ପ୍ରତି ସାବଧାନ ରୁହନ୍ତୁ ଚାଷୀ ଭାଇ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯାହା ଘଟିନାହିଁ, ଯାହା କେବେ ଘଟିବ ନାହିଁ ତାକୁ ନେଇ ଭୟର ମାହୋଲ ସୃଷ୍ଟି କରାଯାଉଛି। କୃଷକଭାଇମାନଙ୍କୁ ନିବେଦନ କରୁଛି ଯେ, ଭ୍ରମ ଏବଂ ଡର ପ୍ରସାର କରୁଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଏହି ସବୁ ଲୋକେ ପୂର୍ବରୁ କୃଷକଙ୍କୁ ଧୋକ୍କା ଦେଇ ଆସିଛନ୍ତି। ସେମାନଙ୍କୁ କେବଳ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରାଯାଇଛି। ଆଜି ମଧ୍ୟ ସେମାନେ ଏହା କରୁଛନ୍ତି। ସରକାରଙ୍କ ପ୍ରୟାସ ପରେ ମଧ୍ୟ ଯଦି କିଛି କୃଷକଙ୍କ ମନରେ କିଛି ଆଶଙ୍କା ରହିଛି ତେବେ ମୁଣ୍ଡ ନୁଆଇଁ, କୃଷକଙ୍କ ସାମ୍ନାରେ ହାତ ଯୋଡି ଦେଶର ହିତରେ ସେମାନଙ୍କ ପ୍ରତି ସମସ୍ୟାର ନିରାକରଣ ପାଇଁ ପ୍ରତି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ।