ବର୍ଷ ଓ ଦଶକର ପ୍ରଥମ 'ମନକି ବାତ୍' କଲେ ମୋଦି, ଜାଣନ୍ତୁ ଦେଶବାସୀଙ୍କୁ କହିଛନ୍ତି କ'ଣ?

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୧ : ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରୀୟ କାର୍ଯ୍ୟକ୍ରମ 'ମନକି ବାତ୍' ରେ ଦେଶବାସୀଙ୍କ ନିକଟରେ ନିଜର ବକ୍ତବ୍ୟ ରଖିଛନ୍ତି। ଦେଶବାସୀଙ୍କୁ ୨୬ ଜାନୁୟାରୀ ଗଣତନ୍ତ୍ର ପର୍ବର ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରିବା ସହ ୨୦୨୦ର ଏହା ପ୍ରଥମ ମନକି ବାତ୍ ମିଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି ଚଳିତବର୍ଷର ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦଶକର ମଧ୍ୟ ପ୍ରଥମ କାର୍ଯ୍ୟକ୍ରମ ବୋଲି ଦେଶବାସୀଙ୍କୁ କହିଛନ୍ତି।

ଲୋକଙ୍କ ମଧ୍ୟରେ ସଂକଳ୍ପର ଭାବନା ଉଦ୍ରେକ କରୁଛି କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ ଦିନ, ମାସ ବର୍ଷ ବଦଳୁଥିବା ବେଳେ ଦେଶବାସୀଙ୍କ ମନରେ କିଛି କରିବା ଲାଗି ଏବେ ସଂକଳ୍ପ ଉଦ୍ରେକ ହେଉଥିବାର କହିଥିଲେ। ଦେଶପାଇଁ କିଛି କରିଦେଖାଇବା ଲାଗି ଲୋକଙ୍କ ମନରେ ସବୁବେଳେ ଇଛା ଥାଏ ହେଲେ ଗତ କିଛି ବର୍ଷ ହେଲା ଏପରି ଭାବନା ପ୍ରବଳ ହେଉଥିବାର ମୋଦି ଅନୁଭବ କରୁଥିବା ମନକି ବାତ୍‌ରେ କହିଛନ୍ତି। ସେହିପରି ତାଙ୍କ ମନକି ବାତ୍ କାର୍ଯ୍ୟକ୍ରମ ଏବେ ସେୟାରିଂ, ଲର୍ଣ୍ଣିଂ ଓ ଗ୍ରୋଇଂ ଟୁଗେଦର ଭାବନା ରଖୁଥିବା ଲୋକଙ୍କ ଲାଗି ଏବେ ଏକ ଉତ୍ତମ ପ୍ଲାଟଫର୍ମରେ ପରିଣତ ହେଉଥିବାର ବି କହିଥିଲେ। ଏହି ଅବସରରେ ଆସାମ ସରକାରଙ୍କ ଦ୍ୱାରା 'ଖେଲୋ ଇଣ୍ଡିଆ' କାର୍ଯ୍ୟକ୍ରମର ଆୟୋଜନର ମୋଦି ଉଚ୍ଚ ପ୍ରଶଂସା କରିଥିବା ବେଳେ ଏଥିରେ ଆଗାମୀ ମାସରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ସିଜିନ ଆୟୋଜନ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ପଦ୍ମ ପୁରସ୍କାର ଏବେ ପ୍ୟୁପିଲ୍ସ ଆୱାର୍ଡରେ ପରିଣତ ହୋଇଛି
ପ୍ରଧାନମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷଣା ହୋଇଥିବା 'ପଦ୍ମ' ପୁରସ୍କାର ସମ୍ପର୍କରେ ମଧ୍ୟ ମନକି ବାତ୍‌ରେ କହିଥିଲେ। ଦେଶର ଏହା ଶୀର୍ଷ ନାଗରିକତା ସମ୍ମାନ ହୋଇଥିବା ବେଳେ ଚଳିତବର୍ଷ ଏଥିଲାଗି ୪୬ ହଜାରରୁ ଊର୍ଦ୍ଧ୍ୱ ଆବେଦନ ମିଳିଥିଲା ମୋଦି କହିଥିବା ବେଳେ ୨୦୧୪ରେ ଏଥିଲାଗି ମିଳିଥିବା ଆବେଦନର ଏହା ୨୦ ଗୁଣାରୁ ବି ଅଧିକ ଥିଲା। ଏହା ଲୋକଙ୍କ ଆସ୍ଥା ଭାବକୁ ପ୍ରଦର୍ଶିତ ହେଉଥିବା ବେଳେ ଏଥିରୁ ଏହା ଏବେ ପ୍ୟୁପିଲ୍ ଆୱାର୍ଡରେ ରୂପାନ୍ତରିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ହିଂସା ସମାଧାନର ବାଟ ନୁହେଁ
କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବରୁ ଆସାମରା ପୃଥକପୃଥକ ୮ଟି ମିଲିଟାଣ୍ଟ ଗୋଷ୍ଠୀର ଲୋକେ ଆତ୍ମସମର୍ପଣ କରିଥିବା କହିଥିଲେ। ଶହ ଶହ ଲୋକେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ବେଳେ ଶାନ୍ତି ପ୍ରତି ସେମାନଙ୍କର ଆସ୍ଥା ପ୍ରକଟ କରିଥିବା କହିଛନ୍ତି। ତେବେ ଦେଶବାସୀ ଜାଣିଲେ ଖୁସି ହେବେ ଏବେ ପୂର୍ବୋତ୍ତରରେ ଉପୁଜିଥିବା ବିଦ୍ରୋହ ଏବେ ଥମିଯାଇଛି। ଏହାର ସବୁଠୁ ବଡ କାରଣ ହେଲା ଅଞ୍ଚଳର ସମସ୍ୟାକୁ ଶାନ୍ତିର ସହ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଜାତୀୟ ଦିବସ ପାଳନ ଲାଗି ବିଳମ୍ବରେ ପ୍ରସାରିତ ହେଲା କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀଙ୍କ ମନକି ବାତ୍ କାର୍ଯ୍ୟକ୍ରମ ସାଧାରଣତଃ ପୂର୍ବାହ୍ନରେ ପ୍ରସାରିତ ହୋଇଥାଏ। ତେବେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଲାଗି ରବିବାର ପ୍ରଥମ ଥର ପ୍ରସାରଣ ସମୟରେ ପରିବର୍ତ୍ତନ କରାଯାଇଛି। କାର୍ଯ୍ୟକ୍ରମର ୬୧ତମ ଅଧ୍ୟାୟ ସନ୍ଧ୍ୟା ୬ଟା ବେଳେ ପ୍ରସାରିତ ହୋଇଛି। ତେବେ ଅନ୍ୟ ଅଧ୍ୟାୟ ଭଳି ଏହି ଅଧ୍ୟାୟକୁ ବି ଲୋକେ ଅପେକ୍ଷା କରି ରହିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.