‘ଭାରତର ଇଞ୍ଚେ ବି ଜାଗା ଉପରେ କେହି ଆଖି ଟେକି ଅନେଇ ପାରିବେ ନାହିଁ, ଆମ ସୀମା କେହି ଛୁଇଁନି, ଆମ ଘାଟି କାହା ଦଖଲରେ ନାହିଁ’
19/06/2020 at 8:53 PM

ନୂଆଦିଲ୍ଲୀ ୧୯।୦୬: ନା ଚୀନ ଆମ ସୀମାକୁ ପଶିଛି ଏବଂ ନା କୌଣସି ପୋଷ୍ଟ କବଜା କରିଛି। ଆମର ୨୦ ଯବାନ ସହିଦ ହୋଇଗଲେ ମାତ୍ର ଯିଏ ବି ଭାରତକୁ ଆଡ ଆଖିରେ ଚାହିଁଛି ସେମାନେ ସମସ୍ତଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି। ଆଜି ଭାରତ-ଚୀନ ମଧ୍ୟରେ ଜାରି ଉତ୍ତେଜନାମୂଳକ ସ୍ଥିତିକୁ ନେଇ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ଚୀନ ପକ୍ଷରୁ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଅନୁପ୍ରବେଶକୁ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଭାରତ ସୀମାରେ ଚୀନର ଜଣେ ହେଲେ ସୈନିକ ନାହିଁ। ନା କେହି ଆମର ସୀମାରେ ପଶିଛି, ନା ଆମର କୌଣସି ପୋଷ୍ଟ କେହି କବଜା କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଜଳ, ସ୍ଥଳ, ନୌସେନା ଦେଶର ରକ୍ଷା ପାଇଁ ଯାହା କରିବା କଥା କରୁଛନ୍ତି।
ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଆମ ପାଖରେ ଏହି କ୍ଷମତା ରହିଛି ଯେ, କେହି ବି ଆମ ଭୂମିର ଏକ ଇଞ୍ଚ ବି ନେଇ ପାରିବ ନାହିଁ। ଭାରତର ସଶସ୍ତ୍ର ସେନା ଥରୁକରେ ଅନେକ କ୍ଷେତ୍ରରେ ଯିବାକୁ କ୍ଷମତା ରଖନ୍ତି।
ସଂପ୍ରତି ବିବାଦର ପୃଷ୍ଠଭୂମି ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ବର୍ଷରେ ଦେଶର ସୀମାକୁ ସୁରକ୍ଷିତ କରିବା ପାଇଁ ସୀମାରେ ସୁରକ୍ଷା ଭିତ୍ତିଭୂମି ଉପରେ ପ୍ରାଥମିକତା ଦିଆଯାଇଛି। ସୀମାରେ ସଡକ, ଟ୍ରେନ୍ ଲାଇନ୍ ବିଛା ଯାଉଛି। ନୂତନ ଭାବେ ନିର୍ମିତ ବିକାଶମୂଳକ ଭିତ୍ତିଭୂମି କାରଣରୁ ଏଲଏସିରେ ଏବେ ଆମର ପାଟ୍ରୋଲିଂ କ୍ଷମତା ଆହୁରି ବଢି ଯାଇଛି। ଆମ ସେନାକୁ ଆବଶ୍ୟକତା ଲଢୁଆ ବିମାନ, ଅତ୍ୟାଧୁନିକ ହେଲିକପ୍ଟର, ମିସାଇଲ ଡିଫେନ୍ସ ଆଦି ଉପରେ ମଧ୍ୟ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ପାଟ୍ରୋଲିଂ ବଢିବାରୁ ଏବେ ସତର୍କତା ବଢିଛି ଏବଂ ଏଲଏସିରେ ଚୀନର ପ୍ରତିଟି ଗତିବିଧି ବିଷୟରେ ସଠିକ୍ ସମୟରେ ସୁଚନା ମିଳିପାରୁଥିବା ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ କ୍ଷେତ୍ର ଉପରେ ପୂର୍ବେ ଆମର ନଜର ରହୁନଥିଲା, ଏବେ ସେଠାରେ ମଧ୍ୟ ଯବାନ ଭଲ ଭାବେ ନୀରିକ୍ଷଣ କରି ପାରୁଛନ୍ତି। ଏହା ସହିତ ସ୍ଥିତି ମୁତାବକ ପଦକ୍ଷେପ ନେଉଛନ୍ତି। ପୂର୍ବେ ସେମାନଙ୍କୁ କେହି ପଚାରୁନଥିଲେ, ସେମାନଙ୍କୁ ସୀମାରେ ଅଟକାଉନଥିଲେ। କିନ୍ତୁ ଏବେ ଆମର ସେନା ପ୍ରତିଟି ଗତିବିଧି ଉପରେ ନଜର ରଖୁଥିବାରୁ ଏବଂ ସୀମାରେ ପଶିବାକୁ ଶତ୍ରୁ ଦେଶକୁ ବାଧା ଦେଉଥିବାରୁ ତିକ୍ତତା ବଢୁଛି ବୋଲି ମୋଦୀ କହିଛନ୍ତି।