ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହେବେ ବିଦେଶୀ ଛାତ୍ରଛାତ୍ରୀ, ପ୍ରକ୍ରିୟା ଆରମ୍ଭ କରିଛି କେନ୍ଦ୍ର ଶିକ୍ଷା ବିଭାଗ

Published By : Prameya-News7 Bureau | February 18, 2021 IST

ନୂଆଦିଲ୍ଲୀ ୧୮/୦୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’କୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଭାରତ ସରକାର । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା କରାଯାଇଛି । ଅର୍ଥାତ ଚଳିତ ବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ।  

କରୋନା ମହାମାରୀ କାରଣରୁ ବର୍ଷ ୨୦୨୧ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ସଂସ୍କରଣ ଅନ୍‌ଲାଇନ ଦ୍ବାରା ସଞ୍ଚାଳିତ କରାଯିବ । ଏହି କାର୍ଯ୍ୟକ୍ରମରେ ୯ମ ରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅବିଭାବକ, ଶିକ୍ଷକଙ୍କୁ ମଧ୍ୟ ସାମିଲ କରାଯିବ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସିଧାସଳଖ କଥା ହେବା ସହ ପରୀକ୍ଷା ବାବଦରେ କିଛି ଟିପ୍‌ସ ମଧ୍ୟ ପଚାରିଥାନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ କହିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ସେମାନେ ନିଜର ପ୍ରଶ୍ନପତ୍ରକୁ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଦାଖଲ କରିପାରିବେ ।

‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ ମଧ୍ୟ କରିଛନ୍ତି । ମୋଦି କହିଛନ୍ତି, ‘ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଅବିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଛାତ୍ରଛାତ୍ରୀମାନଙ୍କ ଅବିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିବେଦନ କରୁଛି ।’

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପଞ୍ଜିକରଣ ଫେବୃଆରୀ ୧୮ ତାରିଖ ଗୁରୁବାର  ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ ଯାଏଁ ଚାଲୁ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.