OLXରେ ବିକ୍ରି ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରଣାସୀ କାର୍ଯ୍ୟାଳୟ, ଜାଣନ୍ତୁ ମୂଲ୍ୟ କେତେ?
17/12/2020 at 9:58 PM

ବନାରସ ୧୭।୧୨: ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ରେ ଲୋକଙ୍କ ଦୁଷ୍ଟାମୀ କିଛି ନୂଆ କଥା ନୁହେଁ। ଏଥିରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ସ୍ଥିତ କାର୍ଯ୍ୟାଳୟ ବିକ୍ରି ଲାଗି କେହି କିଣାବିକା ୱେବସାଇଟ୍ ଓଏଲଏକ୍ସରେ ପୋଷ୍ଟ କରିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଷ୍ଟରେ ମୋଦିଙ୍କ କାର୍ଯ୍ୟାଳୟ ଫଟୋ ଲଗାଯାଇଥିବା ବେଳେ ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଏହି ପୋଷ୍ଟ ଭାଇରାଲ ହେବା ପରେ ଓଏଲଏକ୍ସ ଗୁରୁବାର ଏହାକୁ ପେଜରୁ ହଟାଇ ଦେଇଛନ୍ତି।
ଅନଲାଇନ୍ କିଣାବିକା ପ୍ଲାଟଫର୍ମ ଓଏଲଏକ୍ସରେ ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ଲାଗି ବିଜ୍ଞାପନ ପୋଷ୍ଟ ହୋଇଥିଲା। ବିକ୍ରେତା ନିଜକୁ ଲକ୍ଷ୍ମୀକାନ୍ତ ଓଝା ନାମରେ ଏହି ପୋଷ୍ଟ କରିଥିଲେ। ବିଜ୍ଞାପନରେ ବିକ୍ରିଯୋଗ୍ୟ ଗୃହର ବିଶେଷତାରେ ଘରଟି ଉତ୍ତର-ପୂର୍ବ ମୁହାଁ ହୋଇଥିବା ବେଳେ ଦ୍ୱିତଳ ଓ ଏଥିରେ ୨ଟି କାର ପାର୍କିଂ ଥିବା ଉଲ୍ଲେଖ ଥିଲା। ସେହିପରି ଘରେ ୪ଟି ବେଡରୁମ ସାଙ୍ଗକୁ ଅନ୍ୟ ସୁବିଧା ସୁଯୋଗ ନେଇ ମଧ୍ୟ ବିସ୍ତୃତ ବିବରଣୀ ଦିଆଯାଇଥିଲା। ଘରଟି ବାରଣାସୀ ଜବାହାରନଗର ଏକ୍ସଟେନସନ୍ରେ ଥିବା ଉଲ୍ଲେଖ ଥିଲା। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର କାର୍ଯ୍ୟାଳୟ ବୋଲି ଜଣାପଡିଛି।
୬ହଜାର ୫୦୦ ବର୍ଗଫୁଚର ଦୁଇ ମହଲା ଘର ପ୍ରକଳ୍ପକୁ ବିକ୍ରେତା ‘ପିଏମଓ କାର୍ଯ୍ୟାଳୟ ବାରଣାସୀ’ ନାମକରଣ ମଧ୍ୟ କରିଥିଲେ। ଦିନ ତମାମ ପୋଷ୍ଟ ଓଏଲଏକ୍ସରେ ଦେଖାଯାଇଥିଲେ ବି ସ୍ଥାନୀୟ ଭେଲୁପୁର ଥାନାକୁ ଏ ନେଇ କୌଣସି ସୂଚନା ନଥିଲା। ଦିନ ତମାମ ଲୋକେ ଘର ବିକ୍ରେତା ଦେଇଥିବା ଫୋନ ନମ୍ବରକୁ ଫୋନ କରିଥିଲେ। ହେଲେ କେହି ଫୋନ ଉଠାଉ ନଥିଲେ। ଏଣୁ ଓଏଲଏକ୍ସ ବିଜ୍ଞାପନକୁ ହଟାଇ ଦେଇଛନ୍ତି।
ତେବେ ବିଜେପି କାଶୀ କ୍ଷେତ୍ର ଅଧ୍ୟକ୍ଷ ମହେଶ ଚନ୍ଦ୍ର ଶ୍ରୀବାସ୍ତବ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ କାର୍ଯ୍ୟାଳୟ ଭଡାଘରେ ଥିବା କହିଛନ୍ତି। ଘର ମାଲିକ ରିତିମତ ଭଡା ମଧ୍ୟ ପାଉଛନ୍ତି। ହେଲେ ଘର ବିକ୍ରି ନେଇ ସେ କେବେ ସୂଚିତ କରିନଥିବା ଶ୍ରୀବାସ୍ତବ କହିଛନ୍ତି। ଏଣୁ ମାମଲାର ପୁରା ପ୍ରକରଣ କଣ ତାହା ଯାଞ୍ଚ ହେଲେ ଜଣାପଡିବ ବୋଲି ସେ କହିଛନ୍ତି।