ଜାମ୍ମୁ ଡ୍ରୋନ୍ ହମଲା ପରେ ପିଏମ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, ଗୃହମନ୍ତ୍ରୀ ଅମିତ ଶାହ ଓ ଅଜିତ ଡୋଭାଲଙ୍କ ସହ ରାଜନାଥ ସିଂହ ଉପସ୍ଥିତ

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲୀ ୨୯/୦୬ : ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ରବିବାର ଦିନ ଏକ ଡ୍ରୋନ୍ ହମଲା ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସୂତ୍ର ଅନୁଯାୟୀ, ପାଖାପାଖି ଦୁଇ ଘଣ୍ଟା ଚାଲିଥିବା ଏହି ବୈଠକରେ ଦେଶର ସୁରକ୍ଷା ଓ ନୀତି ଆଧାରିତ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକରେ ଦେଶର ସୁରକ୍ଷା ସହ ଜଡିତ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଜାମ୍ମୁ ବାୟୁସେନା ଷ୍ଟେସନ ଉପରେ ଆକ୍ରମଣ ପରେ ଭାରତୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି। ହମଲା ପରଠାରୁ ଜାମ୍ମୁରେ ସମସ୍ତ ସୁରକ୍ଷା ଏଜେନ୍ସି ସତର୍କ ଅଛନ୍ତି।

ମଙ୍ଗଳବାର ଦିନ ଜାମ୍ମୁ ବିମାନବନ୍ଦର ପରିସରରେ ଥିବା ଏୟାରଫୋର୍ସ ଷ୍ଟେସନ ଉପରେ ହୋଇଥିବା ହମଲା ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଯାଞ୍ଚ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରିବା ନିଷ୍ପତ୍ତି ଗୃହ ମନ୍ତ୍ରାଳୟ କରିଛି। ସଂପୃକ୍ତ ମନ୍ତ୍ରାଳୟର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି।

ଶନିବାର ବିଳମ୍ବିତ ରାତିରେ ଜାମ୍ମୁରେ ଦୁଇଟି ଡ୍ରୋନ୍ରେ ବିସ୍ଫୋରକ ପକାଯାଇଥିଲା। ଏଥିରେ ଦୁଇ ଯବାନ ଆହତ ହୋଇଥିଲେ। ପ୍ରଥମ ବିସ୍ଫୋରଣ ଶନିବାର ରାତି ପ୍ରାୟ ୨ଟା ୪୦ ମିନିଟରେ ହୋଇଥିଲା ଓ ଦ୍ୱିତୀୟ ବିସ୍ଫୋରଣ ତାର ୬ ମିନିଟ ପରେ ହୋଇଥିଲା। ପ୍ରଥମ ବିସ୍ଫୋରଣରେ ସହରର ଉପକଣ୍ଠରେ ଥିବା ଭାରତୀୟ ବାୟୁସେନା ଦ୍ୱାରା ପରିଚାଳିତ ବିମାନବନ୍ଦରର ଉଚ୍ଚ-ସୁରକ୍ଷା ବିଶିଷ୍ଟ ବୈଷୟିକ ଅଞ୍ଚଳରେ ଏକ ମହଲା କୋଠାର ଛାତ ନଷ୍ଟ ହୋଇଥିଲା। ଦ୍ୱିତୀୟ ବିସ୍ଫୋରଣ ଭୂଇଁରେ ହୋଇଥିଲା।

ଅଧିକାରୀ କହିଛନ୍ତି ଯେ, ଡ୍ରୋନ୍ ସାହାଯ୍ୟରେ କରାଯାଇଥିବା ବିସ୍ଫୋରକ ସାମଗ୍ରୀ ଆରଡ଼ିଏକ୍ସ ଓ ଅନ୍ୟାନ୍ୟ ରାସାୟନିକ ମିଶ୍ରଣ କରି ପ୍ରସ୍ତୁତ କରାଯାଇଥିଲା ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ। ତଦନ୍ତକାରୀ ଟିମ ବିମାନବନ୍ଦରର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି ଯେପରି ପତା କରିହେବ ଯେ ଡ୍ରୋନ୍ କେଉଁଠାରୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.