କାଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ଇମ୍ରାନଙ୍କୁ ଚିଠି ଲେଖିଛନ୍ତି ମୋଦି, ସୂଚନା ଦେଲେ ପାକ ବୈଦେଶିକ ମନ୍ତ୍ରୀ

Published By : Prameya-News7 Bureau | August 20, 2018 IST

ଇସ୍ଲାମଵାଦ ୨୦/୮ : ଭାରତ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚିଠି ଲେଖିଛନ୍ତି | ଏହି ସୂଚନା ଦେଇଛନ୍ତି ପାକିସ୍ତାନର ନବନିଯୁକ୍ତ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେସି | କୁରେସି ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜ ପ୍ରଥମ ଉଦବୋଧନରେ ହିଁ ଦୁଇ ଦେଶର ସମ୍ପର୍କ ଓ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି | ଦୁଇ ଦେଶର ସମ୍ପର୍କ ଅତ୍ୟନ୍ତ ସମ୍ବେଦନଶୀଳ ରହିଥିବା ସେ କହିଛନ୍ତି | ନିଃସର୍ତ୍ତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ୱ ଆରୋପ କରିବା ସହ କଥାବାର୍ତ୍ତା ପାଇଁ ଇମ୍ରାନ ଖାନଙ୍କ ନିକଟକୁ ମୋଦି ଚିଠି ଲେଖିଥିବା ସୂଚନା ଦେଇଛନ୍ତି | ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଚିଠି ଲେଖିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟୀକରଣ ମିଳିଛି | ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନଙ୍କ ନିକଟକୁ ମୋଦି ଯେଉଁ ଅଭିନନ୍ଦନ ପତ୍ର ପଠାଇଥିଲେ ସେଥିରେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆଣିବା ଲାଗି ଆଲୋଚନା ପାଇଁ ସଂକେତ ଦିଆଯାଇଛି | ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୁରେସି କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଦୁଇ ଦେଶ ପରମାଣୁ ଶକ୍ତି ସମ୍ପନ୍ନ | କାଶ୍ମୀର ଦୁଇ ଦେଶ ପାଇଁ ଏକ ଗୁରୁତର ସମସ୍ୟା | ଏହାର ସମାଧାନ ଏକାନ୍ତ ଅପରିହାର୍ଯ୍ୟ | ତେବେ ଏକଥା ମଧ୍ୟ ସତ୍ୟ ଯେ, ଏ ସମସ୍ୟାର ସମାଧାନ ଗୋଟିଏ ରାତିରେ ଅସମ୍ଭବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.