ଜାନୁୟାରୀ ୨୩ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ, ନେତାଜୀ ଜୟନ୍ତୀରେ ପରାକ୍ରମ ଦିବସ ସମାରୋହକୁ କରିବେ ସମ୍ବୋଧନ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୩ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ହେବାକୁ ଥିବା ପରାକ୍ରମ ଦିବସରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ରାଜନୖତିକ ମହଲରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇବ ବୋଲି ଶୁଣିବାକୁ ମିଳୁଛି । କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୋଦିଙ୍କ ଗସ୍ତ ବେଙ୍ଗଲ ବିଜେପିକୁ ଶକ୍ତିଶାଳୀ କରିବ । ଏହା ଛଡା ତୃଣମୂଳ କଂଗ୍ରେସ ପକ୍ଷରୁ ଆଗାମୀ ରଣନୀତି କିଭଳି ପ୍ରସ୍ତୁତ କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବିଗତ କିଛି ଦିନ ଧରି ଜଣେ ପରେ ଜଣେ ଟିଏମସି ବିଧାୟକ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଟିଏମସିର ୧୬ ଜଣ ବିଧାୟକ ଦଳ ଛାଡି ବିଜେପିରେ ଯୋଗ ଦେଇସାରିଲେଣି । ଆଗକୁ ଆହୁରି ମଧ୍ୟ ଟିଏମସି ବିଧାୟକ ଏବଂ ମନ୍ତ୍ରୀ ଦଳ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ।

କିଛି ଦିନ ପୂର୍ବରୁ ବିଜେପି ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଥିଲେ ଯେ, ଟିଏମସିର ପ୍ରାୟ ୪୧ ଜଣ ବିଧାୟକ ବି​ଜେପି ସହ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ସେମାନେ ଦଳ ଛାଡି ବିଜେପିରେ ଯୋଗ ଦେବେ । ତେବେ ଆସନ୍ତା ନେତାଜୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରିବା ସହ ନେତାଜୀଙ୍କ ଜୟନ୍ତୀରେ ପରାକ୍ରମ ଦିବସ ସମାରୋହକୁ ସମ୍ବୋଧନ କରିବେ ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି, ଆସାମ ଶିବସାଗରର ଜେରଙ୍ଗା ଗସ୍ତ କରିବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ୧.୦୬ ଲକ୍ଷ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମର ପୁରା ବିବରଣୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.