ଓଡିଶାକୁ ମୋଦିଙ୍କ ମାରାଥନ୍ ଗସ୍ତ ; ୧୬ରେ ପୁଣି ଆସିବେ ମୋଦି, ପଶ୍ଚିମ ଓଡିଶାରେ ସାଧାରଣ ସଭାରେ ଦେବେ ଯୋଗ
23/12/2018 at 3:36 PM

ଭୁବନେଶ୍ବର ୨୩|୧୨: ଓଡିଶାକୁ ମୋଦିଙ୍କ ମାରାଥନ ଗସ୍ତ । ଆସନ୍ତାକାଲି ଖୋର୍ଦ୍ଧା, ଜାନୁଆରୀ ୫ରେ ବାରିପଦା ପରେ ଜାନୁଆରୀ ୧୬ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମ ଓଡିଶାରେ ସାଧାରଣ ସଭାରେ ମୋଦି ଯୋଗଦେବେ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗସ୍ତ ପୂର୍ବରୁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ । କେନ୍ଦ୍ରାଞ୍ଚଳ ଆଇଜି ସୈମେନ୍ଦ୍ରୀ ପ୍ରିୟଦର୍ଶୀଙ୍କ ତତ୍ତ୍ବାବଧାନରେ ୪ ଜଣ ଏସ୍ପି, ୧୦ ଜଣ ଆଡିସିନାଲ ଏସ୍ପି, ୩୦ ଜଣ ଡିଏସ୍ପି ଏବଂ ୧୫୦ ଜଣ ପୋଲିସ ଅଧିକାରୀ ରହିବେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦରେ ଥିବା ଗୋଶାଳା ପଡ଼ିଆ ଏବଂ ଅରୁଗୁଳୁ ଆଇଆଇଟି କ୍ୟାମ୍ପସକୁ ଆସି ବିଭିନ୍ନ ଯୋଜନାର ଲୋକାର୍ପଣ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେବେ । ୧୬ ନଂ ଜାତୀୟ ରାଜପଥର ଛଅ ଲାଇନ ବିଶିଷ୍ଟ ରାସ୍ତାକୁ ଲୋକାର୍ପିତ କରିବା ସହ ବ୍ରହ୍ମପୁର ଆଇଜରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।