ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଦେଖିବେ, ଘୋଷଣା କରିପାରନ୍ତି ସହାୟତା

Published By : Prameya-News7 Bureau | May 22, 2020 IST

ଭୁବନେଶ୍ୱର ୨୨।୦୫: ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଅନୁଧ୍ୟାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି  ଓଡ଼ିଶା ଆସୁଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ କୋଲକତା ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛନ୍ତି । ସେଠାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସାରି ପଶ୍ଚିମବଙ୍ଗ ସରକାରଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ । କୋଲକତା ବିମାନବନ୍ଦରରୁ ୧.୪୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

୨.୫୦ ମିନିଟ୍ ରେ ଭୁବନେଶ୍ୱର ବନ୍ଦରରେ ପହଞ୍ଚି ୨.୫୫ ମିନିଟ୍ ରେ ଏମଆଇ-୧୭ ହେଲିକପ୍ଟରରେ ସିଧା ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟ ସରକାରଙ୍କ କିଛି ଉଚ୍ଚପଦାଧିକାରୀ ଉପସ୍ଥିତ ରହିବେ । ପାଖାପାଖି ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪ ପ୍ରଭାବିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ । ୪.୫୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଫେରି ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହ ରିଲିଫ୍ ଓ ମରାମତି କାର୍ଯ୍ୟର ସମୀକ୍ଷା କରିବେ । ୬.୧୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ବାତ୍ୟା କ୍ଷୟକ୍ଷତି ପାଇଁ କିଛି ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତ ରାତିରେ ଯଶବନ୍ତ ସିଂ ଜେଠୱାଙ୍କ ନେତୃତ୍ୱରେ ଏକ ୨୬ ଜଣିଆ ଏସପିଜି ଟିମ୍ ଭୁବନେଶ୍ୱରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ରାଜ୍ୟ ସରକାରଙ୍କ ପୁଲିସ ଉଚ୍ଚ ପଦାଧିକାରୀମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ।

ଆକାଶମାର୍ଗରୁ ବାତ୍ୟାଞ୍ଚଳ ଅନୁଧ୍ୟାନ କରିବା ସହ ପ୍ରଧାନମନ୍ତ୍ରୀ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବେ । ଅପରାହ୍ନ ୨ଟା ୨୦ ମିନିଟ ରୁ ୨ ଟା ୫୦ ମିନିଟ ସମୟ ଭିତରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ । ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟରରେ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବେ। ଏଥିପାଇଁ ଆଜି ସକାଳୁ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ବାହାରିଛନ୍ତି।

ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ବାବୁଲ ସୁପ୍ରିୟୋ ମଧ୍ୟ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବେ। ବାତ୍ୟା ଅଞ୍ଚଳ ପରିଦର୍ଶନ କରି ପ୍ରାୟ ଦୁଇ ଘଣ୍ଟା ପରେ ଫେରିବା ପରେ ବିମାନବନ୍ଦର ପରିସରରେ ହେବ ବୈଠକ। ବୈଠକରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ। ବୈଠକ ସାରି ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.