ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | October 31, 2018 IST

ଗାନ୍ଧୀନଗର ୩୧|୧୦:  ଗୁଜରାଟରେ  ଉନ୍ମୋଚିତ ହୋଇଛି ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଏକତାର ପ୍ରତିକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରାଯାଇଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ମୋଦି କହିଛନ୍ତି ଦେଶର ବିରାଟ ବ୍ୟକ୍ତିତ୍ବଙ୍କୁ ଆଜି ଉଚିତ୍  ସ୍ଥାନ ମିଳିଛି । ଆଜି ଯାହା ହୋଇଛି ଏହା ଇତିହାସରେ ସ୍ଥାନ ପାଇଛି । ସର୍ଦ୍ଦାରଙ୍କ ପ୍ରତିମାକୁ ଦେଶକୁ ଉତ୍ସର୍ଗୀକୃତ କରିବାର ଅବସର ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ମୋଦି । ଏହାକୁ ସଫଳ କରାଇଥିବାରୁ ଦେଶର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ଗୁଜୁରାଟ ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ନିର୍ମିତ ୧୮୨ ମିଟର ଉଚ୍ଚର ନିର୍ମିତ ହୋଇଛି ଏହି ପ୍ରତିମୂର୍ତ୍ତି । ଏଥିପାଇଁ ୩୩ ମାସ ସମୟ ଲାଗିଥିବା ବେଳେ ମୋଟ୍ ୨ ହଜାର ୯୯୮ କୋଟି ଖର୍ଚ୍ଚ ହୋଇଛି । ଅକ୍ଟୋବର ୩୧ ତଥା ଆଜି ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀ  ଅବସରରେ ଏହି ପ୍ରତିମୂର୍ତ୍ତି ହୋଇଛି । ଏହି ଅବସରରେ ଗୁଜରାଟ ପୋଲିସ, ସଶସ୍ତ୍ର ଅର୍ଦ୍ଧସୈନିକ ବଳର ବ୍ୟାଣ୍ଡ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ୨୯ ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର କଳାକାର ନୃତ୍ୟ ପରିବେଷଣ କରିଛନ୍ତି । ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି କୁହାଯାଉଥିବା ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ଠୁ ଏହା ଦୁଇ ଗୁଣ ଉଚ୍ଚ।  । ୨୦୧୦ ମସିହା ଅଗଷ୍ଟରେ ଗୁଜୁରାଟର ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ପାଇଁ ଏକ ପ୍ରସ୍ତାବ ପାସ କରିଥିଲେ । ସେହି ବର୍ଷ ଅକ୍ଟୋବର ମାସରେ ପ୍ରକଳ୍ପ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ୨୦୧୧ ମାର୍ଚ୍ଚରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ଏକତା ଟ୍ରଷ୍ଟ ଗଠନ ହୋଇଥିଲା । ଜୁନ୍ ୨୦୧୨ରେ ପ୍ରକଳ୍ପ ପାଇଁ ପ୍ରଥମ ଟେଣ୍ଡର ଡକାଯାଇଥିଲା । ୨୦୧୩ ଅକ୍ଟୋବରରେ ଏହାର ଶିଳାନ୍ୟାସ କରିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ସାରା ଦେଶରୁ ଲୁହା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଷ୍ଟାଚ୍ୟୁ ଅଫ ୟୁନିଟି ପାଇଁ ସାରା ଦେଶର ବିଭିନ୍ନ ସ୍ଥାନରୁ ୧୩୫ ମେଟ୍ରିକ ଟନ୍ ଲୁହା ସଂଗ୍ରହ ହୋଇଥିଲା । ସେଗୁଡିକ ତରଳାଇ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହାର କରାଯାଇଥିଲା ।  ଅକ୍ଟୋବର ୨୦୧୫ରେ ଗାନ୍ଧିନଗର ସ୍ବର୍ଣ୍ଣିମ ପାର୍କରେ ପ୍ରତିମୂର୍ତ୍ତିର ପ୍ରତିରୂପ ସ୍ଥାପନ କରାଯାଇଥିଲା । ୨୦୧୮ ଚଳିତ ମାସରେ ପ୍ରତିମୂର୍ତ୍ତି ନିର୍ମାଣ ସରିଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.