ସୁଶାନ୍ତ ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ- ମୁଁ ସ୍ତବ୍ଧ, ଜଣେ ଉଜ୍ଜ୍ଵଳ ଅଭିନେତା ବହୁତ ଶୀଘ୍ର ଚାଲିଗଲେ
14/06/2020 at 4:38 PM

ନୂଆଦିଲ୍ଲୀ ୧୪।୦୬: ଏମଏସ ଧୋନୀ, ରାବତା, ଛିଛୋରେ ପରି ଫିଲ୍ମରେ ନିଜ ଅଭିନୟର ଛାପ ଛାଡିଥିବା ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ରାଜନୀତି ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଶାନ୍ତଙ୍କ ନିଧନରେ ଦୁଃଖ ପ୍ରକାଶ କରି ତାଙ୍କ ପରିଜନ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରିଛନ୍ତି, ସୁଶାନ୍ତ ସିଂହ ରାଜପୁତ… ଜଣେ ଉଜ୍ଜ୍ଵଳ ଯୁବ ଅଭିନେତା ବହୁତ ଶୀଘ୍ର ଚାଲିଗଲେ। ସେ ଟିଭି ଓ ଫିଲ୍ମରେ ବହୁତ ଭଲ କାମ କରିଛନ୍ତି। ମନୋରଞ୍ଜନ ଦୁନିଆରେ ତାଙ୍କ ଉଦୟ ଅନେକ ଲୋକଙ୍କୁ ପ୍ରେରିତ କରିଛି ଏବଂ ନିଜର ପଛ ସ୍ମରଣୀୟ ଅଭିନୟକୁ ପଛରେ ଛାଡି ଚାଲି ଯାଇଛନ୍ତି। ତାଙ୍କ ନିଧନରେ ମୁଁ ସ୍ତବ୍ଧ। ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ରହିଛି। ଓମ ଶାନ୍ତି।
ସେହି ପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସୁଶାନ୍ତଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ। ଟ୍ଵିଟ୍ କରି ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକରେ ନିଜର ସମବେଦନା ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ରବିବାର ସୁଶାନ୍ତ ଅପ୍ରତ୍ୟାଶିତ ଘଟଣାକ୍ରମେ ରବିବାର ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ସୁଶାନ୍ତ ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସଭିଙ୍କୁ ସ୍ତବ୍ଧ କରି ଦେଇଛି। ଗତ କିଛି ଦିନ ହେବ ସୁଶାନ୍ତ ସାମାଜିକ ଗଣମାଧ୍ୟମରେ ବି ସକ୍ରିୟ ନଥିଲେ। କିନ୍ତୁ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ କାହିଁକି ନେଲେ ତା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି। କେହି ବୁଝି ପାରୁନାହାନ୍ତି ଯେ ସୁଶାନ୍ତ ଏମିତି ପଦକ୍ଷେପ କେମିତି ନେଇ ପାରିଲେ।