ପ୍ରଥମେ ହନୁମାନଗଢିରେ ଦର୍ଶନ କରିବେ ମୋଦି, ୩ ମିନିଟ ପୂଜା କରି ଭୂମିପୂଜନ ପାଇଁ ବାହାରିବେ

Published By : Prameya-News7 Bureau | August 02, 2020 IST

ଅଯୋଧ୍ୟା ୦୨/୦୮ : ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପାଇଁ ଆଉ ୩ ଦିନ ବାକି ରହିଛି | ଭୂମିପୂଜନ ପାଇଁ ଆୟୋଜନ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି | ଭୂମିପୂଜନରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ | ଏହା ପୂର୍ବରୁ ହନୁମାନଗଢିରେ ୩ ମିନିଟ ପୂଜା କରିବେ | ସୂଚନା ଅନୁଯାୟୀ, ମୋଦି ଅଗଷ୍ଟ ୫ ତାରିଖରେ ସକାଳ ୧୧ଟା ରୁ ୧୧ଟା ୧୫ ମିନିଟ ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିବେ | ସେଠାରେ ସେ ପାଖାପାଖି ୩ ଘଣ୍ଟା ରହିବେ | ଅପରାହ୍ନ ପ୍ରାୟ ୨ଟା ସମୟରେ ଅଯୋଧ୍ୟାରୁ ବାହାରିବେ |

ହନୁମାନଗଢିର ମୁଖ୍ୟ ପୂଜାରୀ ମହନ୍ତ ରାଜୁ ଦାସ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରେ ମୋଦି ଭୂମିପୂଜନ ପାଇଁ ଆସୁଛନ୍ତି | ଭୂମିପୂଜନ ପୂର୍ବରୁ ହନୁମାନଗଢି ଯିବାକୁ ସେ ନିଷ୍ପତ୍ତି ନେଇଛନ୍ତି | ଏଠାରେ ବିଶେଷ ପୂଜା ବ୍ୟବସ୍ଥା ରହିବ | ମହନ୍ତ କହିଛନ୍ତି ଯେ ତାଙ୍କୁ ୭ ମିନିଟ ସମୟ ଦିଆଯାଇଛି | ଏହି ୭ ମିନିଟ ମଧ୍ୟରେ ପୂଜା ଓ ଯିବା ଆସିବା କରିବେ ମୋଦି |  

ହନୁମାନଗଢିରେ ପୂଜା କରିବା ପରେ ମାନସ ଭବନରେ ପୂର୍ବ ନିର୍ମିତ ମନ୍ଦିର ଯିବେ | ସେଠାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ରଖାଯାଇଛି | ଏହାପରେ ସେ ଭୂମିପୂଜନ ପାଇଁ ରାମ ଜନ୍ମଭୂମି ଯିବେ | କାର୍ଯ୍ୟକ୍ରମ ସ୍ଥଳରେ ଏକ ଛୋଟ ମଞ୍ଚ ତିଆରି କରାଯାଉଛି | ସେଠାରୁ ମୋଦି ସନ୍ଥଙ୍କୁ ସମ୍ବୋଧିତ କରିବେ | ମଞ୍ଚ ଉପରେ କେବଳ ୫ ଜଣ ହିଁ ଉପସ୍ଥିତ ରହିବେ | ପ୍ରଧାନମନ୍ତ୍ରୀ ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆଇଏସଏସ ମୁଖ୍ୟ ମୋହନ ଭାଗବତ ଓ ମନ୍ଦିର ତ୍ରସ୍ତ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମଞ୍ଚରେ ଉପସ୍ଥିତ ରହିବେ |

ଭୂମିପୂଜନ ପାଇଁ ଅତିଥିଙ୍କ ତାଲିକାରେ କିଛିଟା ପରିବର୍ତ୍ତନ କରାଯାଇଛି | ପୂର୍ବରୁ ୨୦୦ ଜଣଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି କୁହାଯାଇଥିଲା | କିନ୍ତୁ ବର୍ତ୍ତମାନ ୧୭୦ ଜଣଙ୍କୁ ହିଁ ଆମନ୍ତ୍ରିତ କରାଯିବ | ବିଜେପିର କିଛି ନେତା ଓ ସନ୍ଥଙ୍କ ନାଁ ଅତିଥି ତାଲିକାରୁ ହଟାଇ ଦିଆଯାଇଛି | ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ନାଁ ତାଲିକାରୁ ହଟାଇ ଦିଆଯାଇଛି | ଏହି ଦୁଇ ନେତା ଅଯୋଧ୍ୟ୍ୟ ଆସିବାକୁ ଅସମର୍ଥ ବୋଲି ଜଣାପଡିଛି | ତାଲିକାରେ ଉମା ଭାରତୀ ଓ କଲ୍ୟାଣ ସିଂହଙ୍କ ନାଁ ମଧ୍ୟ ନାହିଁ ଯେଉଁମାନେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.