କରୋନା ଭ୍ୟାକସିନ ଉପରେ ୧୧ରେ ପିଏମ-ସିଏମ ଆଲୋଚନା, ଟିକାକରଣ ନେଇ ହୋଇପାରେ ତାରିଖ ଘୋଷଣା

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୦୮।୦୧: ଦେଶରେ କରୋନାର ଟିକାକରଣ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଟିକାକରଣ ପାଇଁ ଡ୍ରାଇରନ ଚାଲିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୧ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ଟିକାକରଣର ପ୍ରସ୍ତୁତି ବିଷୟରେ ଆଲୋଚନା କରିବେ। ସୂତ୍ର ଅନୁଯାୟୀ ବୈଠକ ପରେ ସୋମବାର ଦେଶରେ କରୋନା ଟିକାକରଣର ତାରିଖ ଘୋଷଣା ହୋଇପାରେ।

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ ୪ଟାରେ ଆରମ୍ଭ ହୋଇପାରେ। ଶୁକ୍ରବାରଠୁ ଟିକାକରଣ ପାଇଁ ଜରୁରୀ ପ୍ରକ୍ରିୟାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ସମସ୍ତ ରାଜ୍ୟରେ ଡ୍ରାଏ ରନ ଭାବେ କରୋନା ଟିକାକରଣର ପୂର୍ବାଭ୍ୟାସ୍ ହୋଇ ସାରିଛି। ଶୁକ୍ରବାର ଉତ୍ତର ପ୍ରଦେଶ  ଓ ହରିୟାଣାକୁ ବାଦ୍ ଦେଇ ବାକି ସମସ୍ତ ୩୩ ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭ୍ୟାକସିନର ଦ୍ଵିତୀୟ ପର୍ଯ୍ୟାୟ ଡ୍ରାଇ ରନ୍ ଆୟୋଜିତ ହୋଇଛି। ଏହି ଡ୍ରାଏ ରନ ମୋଟ୍ ୭୩୬ ଜିଲ୍ଲାରେ ତିନୋଟି ସେସନରେ ଚାଲିଛି। ୟୁପି ଓ ହରିୟାଣାରେ ପୂର୍ବରୁ ଡ୍ରାଇ ରନ ହୋଇ ସାରିଛି।

ପ୍ରଥମ  ପର୍ଯ୍ୟାୟ ଟିକାରକଣ ସଂପୂର୍ଣ୍ଣ ମାଗଣା ହେବ। ଆଗାମୀ ପର୍ଯ୍ୟାୟକୁ ନେଇ ସରକାର ସଂପ୍ରତି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ଵାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧାଙ୍କ ଟିକାକରଣ ହେବ। ଏହା ବ୍ୟତୀତ ବୟସ୍କ ଲୋକ, ପୂର୍ବରୁ କୌଣସି ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ସମସ୍ତ ରାଜ୍ୟ ସରକାର ଏମିତି ଲୋକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.