ଜାନୁଆରୀ ୧୬, ସକାଳ ୧୦.୩୦ରେ କରୋନା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
14/01/2021 at 8:25 PM

ନୂଆଦିଲ୍ଲୀ ୧୪/୦୧: କରୋନା ମହାମାରୀକୁ ଆଉ ଭୟ ନାହିଁ ! ଦେଶରେ ଆରମ୍ଭ ହେବାକୁ ଯାଉଛି ବଡ଼ ଟିକାକରଣ କାର୍ଯ୍ୟକ୍ରମ। ଜାନୁଆରୀ ୧୬ (ଶନିବାର) ସକାଳ ୧୦.୩୦ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରୋନା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩,୦୦୬ଟି ଟିକାକରଣ କେନ୍ଦ୍ରକୁ ଦେଖିବାକୁ ମିଳିବ । ୧୬ ଜାନୁଆରୀରେ ପ୍ରତି ସେସନ୍ ସାଇଟ୍ରେ ୧୦୦ ଜଣ ଲେଖାଁଏ ଟିକା ନେବେ।
ଅନ୍ୟପଟେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋ-ଓ୍ବିନ୍ ଆପ୍ର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଟିକା ଗ୍ରହଣ କରିବାକୁ ଚାହୁଁଥିବା ଲୋକେ ପ୍ରଥମେ କୋ-ଓ୍ବିନ୍ ଆପ୍ରେ ରେଜିଷ୍ଟେ୍ରସନ କରିବେ। ଲୋକଙ୍କୁ କରୋନା ଟିକାର ଦୁଇଟି ଡୋଜ୍ ଦିଆଯିବ। ତେବେ ଦୁଇଟି ଡୋଜ୍ ନେଇସାରିବା ପରେ ଲୋକଙ୍କୁ ସାର୍ଟିଫିକେଟ୍ ଦିଆଯିବ।
ଦେଶରେ ଦୁଇଟି କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନଙ୍କୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩କୋଟି କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। ତେବେ ଶନିବାର ଦିନ ୩ ହଜାର କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାକୁ ପରବର୍ତ୍ତୀ ସମୟରେ ୫ ହଜାର କେନ୍ଦ୍ରକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।