ଆଜି ବାରାଣାସୀରେ ମେଗା ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | April 25, 2019 IST

ବାରାଣାସୀ ୨୫|୪: ଆଜି ବାରାଣାସୀରେ ମେଗା ରୋଡ୍ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆସନ୍ତାକାଲି ବାରାଣସୀ ସଂସଦୀୟ କ୍ଷେତ୍ରରୁ ନାମାଙ୍କନ ଦାଖଲ କରିବେ । ତା ପୂର୍ବରୁ ମେଗା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ । ଅପରାହ୍ନରେ ମୋଦି ବାରାଣସୀରେ ପହଂଚିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଲଙ୍କାସ୍ଥିତ ମହାପୁରୁଷ ମଦନ ମୋହନ ମାଳବ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏଠାରେ ନିର୍ମାଣ କରାଯାଇଥିବା ଫ୍ଲୋଟିଂ ପ୍ଲାଟଫର୍ମରେ ମା ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବେ । ମୋଦି ଗଙ୍ଗା ଆରତୀରେ ମଧ୍ୟ ସାମିଲ ହେବେ । ଦଶାଶ୍ୱମେଧ ଘାଟ ହଜାର ହଜାର ଦୀପରେ ଉଜ୍ଜଳିତ ହେବ । ଦଶାଶ୍ୱମେଧ ଘାଟ ନିକଟ ରାଜେନ୍ଦ୍ର ପ୍ରସାଦ ଘାଟରେ ନିର୍ମିତ ମଂଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ ସମ୍ବୋଧିତ କରିବେ ।

ତେବେ ଶାହା କହିଛନ୍ତି, ନାମାଙ୍କନ ସମୟରେ ପୂରା ଏନଡିଏ କାଶୀରେ ରହିବ । ଏନଡିଏର ବରିଷ୍ଠ ନେତା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲୋକ ଜନଶକ୍ତି ପାର୍ଟି ସୁପ୍ରିମୋ ରାମବିଲାସ ପାସୱାନ, ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଉତ୍ତର-ପୂର୍ବରେ ବିଜେପି ସହିତ ଜଡ଼ିତ ସମସ୍ତ ବଡ଼ ବଡ଼ ନେତା କାଶୀରେ ରହିବେ । ସେହିପରି କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ନିର୍ମଳା ସୀତାରମଣ, ନୀତିନ ଗଡ଼କରୀ, ପୀୟୁଷ ଗୋୟଲଙ୍କ ବ୍ୟତୀତ ହେମା ମାଳିନୀ, ଜୟାପ୍ରଦା, ମନୋଜ ତିୱାରୀ ଆଦି ରୋଡ ସୋ ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.