Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଦିଦି ହେଉଛନ୍ତି ଅହଙ୍କାରୀ, ନିଜକୁ ସମ୍ବିଧାନ ଠାରୁ ଉପରେ ଭାବୁଛନ୍ତି’ : ଆସନସୋଲ ରାଲିରେ ମୋଦି କ​‌ଲେ ଟାର୍ଗେଟ୍‌

17/04/2021 at 4:05 PM

ଆସନସୋଲ ୧୭/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗରେ ମାରାଥନ୍‌ ରାଲି କରିଛନ୍ତି । ଜନସାଧାରଣଙ୍କୁ ଉଦବୋଧନ ଦେବା ଅବସରରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ‘ମମତା ବାନାର୍ଜୀ ନିଜକୁ ଦେଶର ସମ୍ବିଧାନ ଠାରୁ ଉର୍ଦ୍ଧ୍ବରେ ଭାବୁଛନ୍ତି । ଦିଦି ସର୍ବଦା କେନ୍ଦ୍ରୀୟ ବଳ ଏବଂ ସେନାକୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି । ରାଜନୀତି କରିବାକୁ ଯାଇ ମିଛ ଅଭିଯୋଗ ଆଣୁଛନ୍ତି । ଏହାର ଜବାବ ମେ ୨ ତାରିଖରେ ପଶ୍ଚିବଙ୍ଗବାସୀ ଦେବେ ।’

ଦେଶ ଏବେ କରୋନା ମହାମାରୀ ସହ ଜୁଝୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରୁଛନ୍ତି । କିନ୍ତୁ ଅନେକ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଖିବାକୁ ମିଳୁନାହିଁ । ଏହାକୁ ନେଇ ଦିଦିଙ୍କୁ ଟାର୍ଗେଟ୍‌ କରିଛନ୍ତି ମୋଦି । କୌଣସି ନା କୌଣସି କାରଣ ବାହାର କରି ଦିଦି ବୈଠକକୁ ଏଡାଇ ଯାଇଛନ୍ତି । କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ନେଇ ଗତ ୨ଟି ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ମଧ୍ୟ ମମତା ବାନାର୍ଜୀ ଉପସ୍ଥିତ ରହିନଥିଲେ ।

ମୋଦି ଅଭିଯୋଗ କରିଛନ୍ତି ଯେ, କୌଣସି ମାମଲାରେ ତଦନ୍ତ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପଶ୍ଚିମବଙ୍ଗ ଗଲେ ସେଠାରେ ଦିଦି ତଦନ୍ତକାରୀ ଟିମ୍‌କୁ ଅଟକାଇବାକୁ ପୁରା ଜୋର ଲଗାଇଦେଉଛନ୍ତି । କରୋନା ମହାମାରୀ ସମୟରେ ହୋଇଥିବା ରାସନ ଲୁଟ୍‌ ଏହାର ସଦ୍ୟତମ ଉଦାହରଣ ବୋଲି ମୋଦି କହିଛନ୍ତି । ଦିଦି ଏବଂ ତାଙ୍କର କିଛି ଖାସ ଲୋକ ଗରିବଙ୍କ ପାଇଁ ଆସିଥିବା ରାସନକୁ ଲୁଟ୍‌ କରିବାକୁ ପଛାଇନାହାନ୍ତି । ଏହାର ତଦନ୍ତ କରିବାକୁ ଗଲେ ଦିଦିଙ୍କ ରୋଷର ଶିକାର ହେଉଛନ୍ତି ତଦନ୍ତକାରୀ ସଂସ୍ଥା ।

କେବଳ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନୁହେଁ ବରଂ ଦେଶର ସୁରକ୍ଷା ଦାୟିତ୍ବରେ ଥିବା ସେନାବାହିନୀଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉନାହାନ୍ତି ଦିଦି । ରାଜନୀତି ପାଇଁ ମିଛ ଆତ୍ମପ୍ରଚାର କରିବା ସହିତ ସେନା ଏବଂ ସମ୍ବିଧାନକୁ ବଦନାମ କରୁଛନ୍ତି ମମତା ବାନାର୍ଜୀ । ଦିଦି ନିଜକୁ ସମ୍ବିଧାନ ଠାରୁ ଉର୍ଦ୍ଧ୍ବ​‌ରେ ଭାବୁଛନ୍ତି । ତାଙ୍କର ରାଜନୀତି କେବଳ ବିରୋଧ ଏବଂ ଗତିରୋଧରେ ସୀମିତ ନାହିଁ ବରଂ ପ୍ରତିଶୋଧରେ ବଦଳିଯାଉଛି । ପରିସ୍ଥିତି ଏପରି ଯେ ମୃତ ଶରୀରକୁ ନେଇ ମଧ୍ୟ ଦିଦି ରାଜନୀତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।  

   Related Posts