ପ୍ରଧାନମନ୍ତ୍ରୀ ହେବାପରେ ମୋଦି ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଓ ସୁଇଜରଲାଣ୍ଡର ବ୍ୟାଙ୍କ ଅଫ୍‌ ସେଟେଲମେଣ୍ଟରେ ଗୋପନରେ ୨୦୦ ଟନ ସୁନା ବନ୍ଧା ରଖିଥିଲେ !

Published By : Prameya-News7 Bureau | May 02, 2019 IST

ନୂଆଦିଲ୍ଲୀ ୨/୫ : ୧୯୯୧ ମସିହାରେ ଭାରତ ପ୍ରଥମଥର ପାଇଁ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା | ସେତେବେଳେ ତତ୍କାଳୀନ ସରକାର ପାଖାପାଖି ୪୭ ଟନ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡରେ ବନ୍ଧା ରଖି ଟଙ୍କା ଆଣି ପରିସ୍ଥିତି ସମ୍ଭାଳିଥିଲେ | ଇଣ୍ଡିଆନ ଏକ୍ସପ୍ରେସ ଖବର ଅନୁଯାୟୀ, ବହୁ ପରିମାଣର ସୁନା ଦେଶରୁ ବାହାରକୁ ଚାଲିଯାଇଥିଲା | ଏନେଇ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କୁ ସଫେଇ ଦେବାକୁ ପଡିଥିଲା | ତେବେ ସେତେବେଳେ ଦେଶରେ ଏହିଭଳି ଆର୍ଥିକ ସଙ୍କଟ କାହିଁକି ଉପୁଜିଥିଲା, ଦେଶ କେଉଁଭଳି ଏହି ସ୍ଥିତିରୁ ବାହାରିଥିଲା ତାହା ବର୍ତ୍ତମାନ ପ୍ରାସଙ୍ଗିକ ନୁହେଁ | ତେବେ ଏତିକି କୁହାଯାଇପାରିବ ଯେ, ତତ୍କାଳୀନ ସରକାର ଏହି ତଥ୍ୟକୁ ଲୁଚେଇ ନଥିଲେ ଏବଂ ଜନତା ଓ ସଂସଦରେ ବୟାନ ଦେଇଥିଲେ |


୨୦୦୯ ମସିହା ନଭେମ୍ବର ମାସରେ ଭାରତ ସରକାର ଆଇଏମଏଫ ଜରିଆରେ ୨୦୦ ଟନ ସୁନା କିଣିଥିଲେ | ୨୦୦ ଟନ ସୁନା କିଣିବା ପରେ ଦେଶର ଆର୍ଥିକ ବ୍ୟବସ୍ଥା ମଜବୁତ ଥିବା କୁହାଯାଉଥିଲା | ଦିଲ୍ଲୀର ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ, ମୋଦି ସରକାର ଶାସନକୁ ଆସିବା କ୍ଷଣି ରିଜର୍ଭ ବ୍ୟାଙ୍କର ସେହି ୨୦୦ ଟନ ସୁନା ବିଦେଶକୁ ପଠାଇ ଦେଇଥିଲେ | ମୋଦି ଏହି ସୁନା ମିଡ଼ିଆ ଏବଂ ବିରୋଧୀଙ୍କ ଅଜାଣତରେ ଲୁଚା ଛପା ଅବସ୍ଥାରେ ବିଦେଶକୁ ପଠେଇ ଦେଇଥିଲେ |


ବ୍ୟାଙ୍କ ଅଫ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟ ସ୍ୱିଜରଲ୍ୟାଣ୍ଡରେ ଅଛି | ଏହା ଏକ କେନ୍ଦ୍ରୀୟ ବ୍ୟାଙ୍କ | ଅନେକ ଦେଶ ଏହି ବ୍ୟାଙ୍କର ସଦସ୍ୟ ଅଛନ୍ତି | ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହି ବ୍ୟାଙ୍କର ଏକ ସଦସ୍ୟ | ସାମ୍ବାଦିକ ନବନୀତ ଜାଣିବାକୁ ପାଇଲେ ଯେ, ନାଗପୁର ରିଜର୍ଭ ବ୍ୟାଙ୍କ ଶାଖାରୁ ୨୦୦ ଟନ ସୁନା ଗାୟବ ହୋଇଛି | ସୁନା ୨୦୧୪ ମସିହା ଜୁଲାଇ ମାସରେ ଗାୟବ ହୋଇଥିଲା | ମୋଦି ଶାସନରେ ଏସବୁ ସମ୍ଭବ ବୋଲି କହିଛନ୍ତି ନବନୀତ | ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଜିଏସପିସି ଦୁର୍ନୀତିର ପର୍ଦାଫାଶ କରିଥିଲେ ନବନୀତ ଚତୁର୍ବେଦୀ | ରାଫେଲ ବିମାନ ଦୁର୍ନୀତି ପ୍ରସଙ୍ଗ ମଧ୍ୟ ନବନୀତ ଉଠାଇଥିଲେ | ତାଙ୍କ ବୟାନ ଆଧାରରେ କଂଗ୍ରେସ ରାଫେଲ ପ୍ରସଙ୍ଗ ଉଠାଇଥିଲା | ଏବେ ନବନୀତ ବିଜେପିର ୨୦୦ ଟନ ସୁନା ପ୍ରସଙ୍ଗ ଉଠାଇଛନ୍ତି | ନବନୀତ କହିଛନ୍ତି ଯେ, ରେକର୍ଡରେ ହେରାଫେରି କେମିତି ହୋଇଛି ତାହା ବୁଝିବାକୁ ଟିକେ ସମୟ ଲାଗିପାରେ |


ନବନୀତ ଚତୁର୍ବେଦୀ ଟିଜର୍ଭ ବ୍ୟାଙ୍କକୁ ତଥ୍ୟ ମାଗିଥିଲେ | ଟିଜର୍ଭ ବ୍ୟାଙ୍କ ଆରଟିଆଇ ଜରିଆରେ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ | ନବନୀତଙ୍କ
ପ୍ରଥମ ପ୍ରଶ୍ନ ଥିଲା : ରିଜର୍ଭ ବ୍ୟାଙ୍କର ନାଗପୁର ଶାଖାରେ କେତେ ସୁନା ଅଛି ?
ଉତ୍ତର : ମଗାଯାଇଥିବା ସୂଚନା ଦିଆଯାଇ ପାରିବନାହିଁ |
ଦ୍ୱିତୀୟ ପ୍ରଶ୍ନ : ବାହାର ବିଦେଶ ବ୍ୟାଙ୍କରେ ଭାରତର କେତେ ସୁନା ରଖାଯାଇଛି ?
ଉତ୍ତର : ୨୬୮.୦୧ ଟନ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡ ଓ ବ୍ୟାଙ୍କ ଅଫ ସେଟେଲମେଣ୍ଟରେ ରଖାଯାଇଛି |
ବିଦେଶ ବ୍ୟାଙ୍କରେ ୬୮ ଟନ ସୁନା ବନ୍ଧା ରଖାଯାଇଥିବା ଖବର ପୂର୍ବରୁ ମିଡ଼ିଆ ଏବଂ ବିରୋଧୀଙ୍କ ପାଖରେ ଥିଲା |ଏଠାରେ ପ୍ରଶ୍ନ ଉଠୁଛି ଯେ, ୨୦୦ ଟନ ସୁନା ବିଦେଶ ବ୍ୟାଙ୍କରେ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ନବନୀତ | ଏହି ସୁନା ବିଦେଶକୁ ନିଆଯାଇଥିଲା ଏବଂ ଏହି ସୁନା ବଦଳରେ ଭାରତ ସରକାରଙ୍କୁ କ'ଣ ମିଳିଛି ? ଏହି ସୂଚନା ଏ ପର୍ଯ୍ୟନ୍ତ ପବ୍ଲିକ ଡୋମେନରେ ଏବଂ ସାଧାରଣ ଲୋକଙ୍କ ପାଖରେ କାହିଁକି ନାହିଁ ପ୍ରଶ୍ନ କରିଛନ୍ତି ନବନୀତ |


ଆରବିଆଇ ଏବଂ ବିଆଇଏସ ଜାରି କରିଥିବା ଅଡିଟ ରିପୋର୍ଟ :
୨୦୧୧ ମସିହା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସୁନା ଭାରତରେ ଥିଲା | ୨୦୧୪ ମସିହା ଜୁନ ମାସ ପର୍ଯ୍ୟନ୍ତ ମଧ୍ୟ ସୁନା ଭାରତରେ ଥିଲା | ୨୦୧୪ ମସିହା ମେ ମାସରେ ମୋଦି ଶାସନକୁ ଆସିଥିଲେ | ବିଶ୍ଵସ୍ଥ ସୂତ୍ରର ଖବର ଅନୁଯାୟୀ, ୨୦୧୪ ମସିହା ଜୁଲାଇ ମାସରେ କିଛି ଗଡବଡ ହୋଇଥିଲା | ଗୁପ୍ତ ଭାବେ ସୁନା ବିଦେଶକୁ ପଠାଯାଇଥିଲା | କିନ୍ତୁ ଏ ସମ୍ପର୍କୀୟ କୌଣସି ଖବର ପବ୍ଲିକ ଡୋମେନରେ ନଥିଲା |


ନବନୀତ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କର ୨୦୧୫ ମସିହା ରିପୋର୍ଟରେ ହେରାଫେରି ହୋଇଥିବା ଜଣାପଡିଛି | ରିପୋର୍ଟ ଅନୁଯାୟୀ, କିଛି ସୁନା ଭାରତରେ ଥିବାବେଳେ ଆଉ କିଛି ବିଦେଶରେ ଅଛି | ବିଦେଶରେ ଯେଉଁ ସୁନା ଅଛି ତାହା ରିଜର୍ଭ ବ୍ୟାଙ୍କର ସମ୍ପତ୍ତି | କିନ୍ତୁ ତାକୁ ସ୍ୱିଜରଲ୍ୟାଣ୍ଡରେ ରଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.