ନୂଆଦିଲ୍ଲୀ ୦୫।୦୭: ଭାରତ-ଚୀନ ସୀମାରେ ଜାରି ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଜାତୀୟ ଓ ଆନ୍ତର୍ଜାତୀୟ ସମ୍ବନ୍ଧିତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସଂକ୍ରାନ୍ତରେ ରାଷ୍ଟ୍ରପତି ଭବନ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ବୈଠକ ପରେ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ଵିଟ୍ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସଂପର୍କିତ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି। ଏହି ବୈଠକ ଏମିତି ସମୟରେ ହୋଇଛି, ଯେତେବେଳେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ପରେ ପ୍ରଧାନମନ୍ତ୍ରୀ ଲେହ ଗସ୍ତ କରି ଯବାନଙ୍କୁ ସମ୍ବୋଧିତ କରିଥିଲେ।
wp:html/wp:html#WATCH Prime Minister Narendra Modi called on President Ram Nath Kovind and briefed him on the issues of national and international importance at Rashtrapati Bhavan today pic.twitter.com/YPqOxAvtuK
— ANI (@ANI) July 5, 2020
ଏହି ସଂଘର୍ଷରେ ୨୦ ଭାରତୀୟ ଯବାନ ବୀରଗତି ପ୍ରାପ୍ତ କରିଥିଲେ। ଅନ୍ୟପକ୍ଷେ ଚୀନର ୪୩ ସୈନିକ ନିହତ ହୋଇଥିଲେ। କିନ୍ତୁ ଡ୍ରାଗନ ଏ ପର୍ଯ୍ୟନ୍ତ ନିଜ ସୈନିକଙ୍କ ମୃତାହତକୁ ନେଇ କୌଣସି ସୂଚନା ଦେବାକୁ ପ୍ରସ୍ତୁତ ନୁହେଁ। ଏହା ମଧ୍ୟରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟ୍ଵିଟ୍ କରି ଲେଖିଛନ୍ତି, ଭାରତ ଇତିହାସର ସବୁଠୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଆମେ ଏକ ସଙ୍ଗେ ଅନେକ ଆଭ୍ୟନ୍ତରୀଣ ଓ ବାହ୍ୟ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ଭାରତ ଏସବୁକୁ ଦୃଢତାର ସହ ମୁକାବିଲା କରିବାକୁ ସକ୍ଷମ ବୋଲି ଉପରାଷ୍ଟ୍ରପତି କହିଛନ୍ତି।