Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାଳଚେର ସାର କାରଖାନା ୩୬ ମାସ ଭିତରେ କାର୍ଯ୍ୟକ୍ଷମ ହେବ : ପ୍ରଧାନମନ୍ତ୍ରୀ

22/09/2018 at 12:31 PM

ତାଳଚେର ୨୨/୯ : ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ବକ୍ସି ଜଗବନ୍ଧୁ ଷ୍ଟାଡିୟମ ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ | ଜୟ ଜଗନ୍ନାଥ ଏବଂ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଜୟ ବୋଲି କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ମୋଦି | ନିଜ ଭାଷଣରେ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାର ବୀର ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବାକୁ ଭୁଲି ନଥିଲେ ପ୍ରଧାନମନ୍ତ୍ରୀ | ପ୍ରଜାମଣ୍ଡଳ ଆନ୍ଦୋଳନର ପ୍ରବକ୍ତା ପବିତ୍ର ମୋହନ ପ୍ରଧାନଙ୍କ ଠାରୁ ଆରମ୍ଭ କରି ବାଜି ରାଉତଙ୍କ ପର୍ଯ୍ୟନ୍ତ ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ ମୋଦି |
ଜଗନ୍ନାଥଙ୍କ ରୋଷେଇ ଘରେ ଲାଗି ହେଉଥିବା ଅଗ୍ନିର ପ୍ରତୀକ ହେଉଛନ୍ତି ସ୍ୱୟଂ ମା ହିଙ୍ଗୁଳା ବୋଲି ପ୍ରଧାନ ମନ୍ତ୍ରୀ ସୂଚନା ଦେଇ ଲୋକଙ୍କ ମନ ଜିଣିଥିଲେ | ମା ହିଙ୍ଗୁଳା ଓ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଓଡିଶାରେ ପୂର୍ବ ଭାରତର ବିକାଶର ସୂର୍ଯ୍ୟ ଉଦୟ ହେବା ବୋଲି ମୋଦି କହିଥିଲେ | କେବଳ ତାଳଚେର ସାର କାରଖାନାର ପୁନରୁଦ୍ଧାର ନୁହେଁ ସମଗ୍ର ଦେଶରେ ବନ୍ଦ ପଡିଥିବା ବଡ ବଡ କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୋଦି କହିଥିଲେ | ସମ୍ପ୍ରତି ଦେଶ ଏଭଳି ୫ଟି ବଡ କାରଖାନାକୁ କାର୍ଯ୍ୟକ୍ଷମ କରିବା କାମ ଆରମ୍ଭ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ | ତେବେ ଏ ଅବସରରେ ଗତ ସରକାର ମାନଙ୍କୁ ସମାଲୋଚନା କରିବାକୁ ମୋଦି ଭୁଲିନଥିଲେ | ସେ କହିଥିଲେ, ଯେ ସମସ୍ତ ପ୍ରକାର ସାଧନା ଥିବା ସତ୍ୱେ ଅତୀତର ସରକାର ମାନେ କାହିଁକି ଏସବୁ କାରଖାନାର ପୁନରୁଦ୍ଧାର କରୁନଥିଲେ | କଂଗ୍ରେସ ସରକାରଙ୍କ ଅମଳରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବୋଲି ରାଜ୍ୟ କଂଗ୍ରେସ ନେତାମାନେ ଦାବି କରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କାମ କେବଳ ଫାଇଲ ପତ୍ରରେ ହେଉଥିଲା | ବାସ୍ତବ କ୍ଷେତ୍ରରେ ତାର ରୂପାୟନ ହେଇପାରୁନଥିଲା | ଏଥିରୁ ସମ୍ପୃକ୍ତ ସରକାର ମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ ବୋଲି ସେ କହିଥିଲେ | ୩୬ ମାସ ପରେ ତାଳଚେର ସାର କାରଖାନାର ଲୋକାର୍ପଣ ଉତ୍ସବକୁ ମଧ୍ୟ ସେ ଆସିବେ ବୋଲି ମୋଦି ଦୃଢୋକ୍ତି ପ୍ରକାଶ କରିଥିଲେ |
ତାଳଚେର ସାଧାରଣ ସଭାରେ ଉଦବୋଧନ ଦେବା ବେଳେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରୁଥିବା ପ୍ରସଙ୍ଗକୁ ମଧ୍ୟ ମୋଦି ଉଠାଇଥିଲେ | ସେ କହିଥିଲେ ଯେ, କୌଣସି ଲୋକ ଉପାସରେ ନରହୁ ସେଥିପାଇଁ ମଧ୍ୟ କେନ୍ଦ୍ର ସରକାର ଯତ୍ନଶୀଳ | ରାଜ୍ୟରେ ୮୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ପ୍ରଦାନ କରାଯାଉଛି | କିନ୍ତୁ ଏ ଟଙ୍କିକିଆ ଚାଉଳ ପ୍ରଦାନ ପାଇଁ ଯାହା ଖର୍ଚ୍ଚ ହେଉଛି ତାର ସିଂହ ଭାଗ କେନ୍ଦ୍ର ସରକାର ଦେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ଲୋକଙ୍କୁ ସୂଚାଇ ଦେଇଛନ୍ତି |
ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଆୟୁସ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ହେଉନଥିବା ପ୍ରସଙ୍ଗ ଉଠାଇ ଥିଲେ | ସେ କହିଥିଲେ ଯେ, ଦେଶର ୧୦ କୋଟି ପରିବାର ଅର୍ଥାତ ପାଖାପାଖି ୫୦ କୋଟି ଲୋକ ଏହି ଯୋଜନା ଦ୍ୱାରା ବାର୍ଷିକ ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପାଇବେ | ତେବେ ନବୀନ ବାବୁ କାହିଁକି ଏହା ବୁଝି ପାରୁନାହାନ୍ତି ତାହା ସେ ବୁଝି ପାରୁନାହାନ୍ତି ବୋଲି ମୋଦି କହିଥିଲେ | ଦେଶରେ ପ୍ରାୟ ସମସ୍ତ ରାଜ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଉଥିବା ବେଳେ ଓଡିଶା ମଧ୍ୟ ଏଥିରେ ସାମିଲ ହେଉ ବୋଲି ସେ ନବୀନ ପଟ୍ଟନାୟକଙ୍କୁ ସଭା ମଂଚରୁ ଅନୁରୋଧ କରିଥିଲେ | ଏ ଅବସରରେ ଓଡିଶାର ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ ସ୍ଥିତିରେ ଅଛି ବୋଲି କହିବାକୁ ଭୁଲି ନଥିଲେ | ରାଜ୍ୟର ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର ନେଇ ସେ ଉଦବେଗ ପ୍ରକାଶ କରିଥିଲେ | ରାଜ୍ୟକୁ ୫ଟି ନୂଆ ମେଡିକାଲ କଲେଜ ପ୍ରଦାନ କରାଯାଇଥିଲା | ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସୂଚନା ଦେବା ସହ ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଆଧୁନିକୀକରଣ ପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହିଥିଲେ | ସେହିଭଳି ବଡ ବଡ ପଂଚାୟତରେ ଅତି ଶୀଘ୍ର ୱେଲନେସ ସେଣ୍ଟର ଖୋଲିବ ବୋଲି ସୂଚନା ଦେଇଥିଲେ | ରାଉରକେଲା, ତାଳଚେର ଓ ସୁନ୍ଦରଗଡ଼ ଠାରେ ସୁପର ସ୍ପେସିଆଲିଟି ହସ୍ପିଟାଲ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଓ ଏଥିପାଇଁ ୫୭୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ସେ କହିଥିଲେ | ନିଜ ଭାଷଣରେ ୨୦୧୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ଘର ପ୍ରଦାନ କରିବା ପାଇଁ ଲକ୍ଷ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ | ଏ ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜ୍ଵଳା ଯୋଜନା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ | ସର୍ବପରି ଓଡିଶାରେ ସ୍ୱଚ୍ଛତା ମିଶନର କାର୍ଯ୍ୟ ଆଶାନୁରୂପ ହେଉନଥିବା ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଥିଲେ | ଶୌଚାଳୟ ନିର୍ମାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ସୂଚନା ପ୍ରଦାନ କରିଥିଲା | ସ୍ୱଚ୍ଛତା ଅଭିଯାନ କ୍ଷେତ୍ରରେ ୨୦୧୪ ମସିହାରେ ମାତ୍ର ୧୪ ପ୍ରତିଶତ ସଫଳତା ହାସଲ କରିଥିବା ଓଡିଶା ଏବେ ୫୫ ପ୍ରତିଶତରେ ପହଂଚିଲାଣି | ତଥାପି ଏହା ଜାତୀୟ ହାର ଏବଂ କିଛି ରାଜ୍ୟର ସଫଳତା ହାର ଠାରୁ ବହୁତ ପଛରେ ବୋଲି ମୋଦି କହିଥିଲେ | ଶେଷରେ ମୋଦି ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବାକୁ ଭୁଲିନଥିଲେ | ୩ ଥର ଜୟ ଜଗନ୍ନାଥ କହି ମୋଦି ତାଙ୍କ ଭାଷଣ ଶେଷ କରିଥିଲେ | ସୂଚନାଯୋଗ୍ୟ ଯେ, ଏହା ପରେ ମୋଦି ଝାରସୁଗୁଡା ବିମାନ ବନ୍ଦରର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଝାରସୁଗୁଡା ବାହାରିଯାଇଥିଲେ |

   Related Posts