ଦିଦି…ଓ…ଦିଦି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସମ୍ବୋଧନରେ ଚିଡ଼ୁଛନ୍ତି ମମତା ବାନାର୍ଜୀ ! ଜାଣନ୍ତୁ କଣ କହିଛନ୍ତି

Published By : Prameya-News7 Bureau | April 06, 2021 IST

କୋଲକାତା ୬/୪:  ବିଜେପି ଫୋକସ୍‌ରେ ପଶ୍ଚିମବଙ୍ଗ। ୩ଟି ଚରଣ ମତଦାନ ଶେଷ ହୋଇଥିବା ବେଳେ ଆହୁରି ୫ଟି ପର୍ଯ୍ୟାୟରେ ଭୋଟ ପଡ଼ିବାର ଅଛି। ପଶ୍ଚିମବଙ୍ଗ  ରାଜନୀତିରୁ ଟିଏମସିକୁ ବେଦଖଲ କରିବା ପାଇଁ ବିଜେପିର ମଙ୍ଗ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଧରିଛନ୍ତି। ସେପଟେ ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ବିଲ୍‌ ଚେୟାରରେ ଗଡ଼ ପୁଣି ଥରେ ଅକ୍ତିଆର କରିବାକୁ କରୁଛନ୍ତି ଜୋରଦାର କସରତ। ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବିଭିନ୍ନ ରାଲିରେ ମୋଦୀ  ମମତା ବାନାର୍ଜୀଙ୍କୁ ଟାର୍ଗେଟ କରୁଥିବା ବେଳେ ବେଙ୍ଗଲରେ ଡବଲ ଇଞ୍ଜିନ ଲଗାଇବା କଥା କହୁଛନ୍ତି।

ବେଙ୍ଗଲରେ ଦିଦି ନାଁରେ ପରିଚିତ ମମତା ବାନାର୍ଜୀଙ୍କୁ ମଜାଳିଆ ଅନ୍ଦାଜରେ ମୋଦୀ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଜନସଭାକୁ ସମ୍ବୋଧନ ବେଳେ ମୋଦୀ  ଦିଦି…ଓ…ଦିଦି ବୋଲି କହିବାରୁ ଲୋକେ ଏହାକୁ ନେଇ ତାଳି ବଜାଉଛନ୍ତି। ଯାହାକି ଉଭୟ ଟିଏମସି ଏବଂ ମମତାଙ୍କୁ ଟେନସନ ଦେଉଛି ବୋଲି କୁହାଯାଉଛି।  ତୃଣମୂଳ କଂଗ୍ରେସ ଏହାକୁ ମମତା ଏବଂ ପଶ୍ଚିମବଙ୍ଗ ପ୍ରତି ଅପମାନ ବୋଲି କହୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ କହୁଛନ୍ତି ପିଏମ ମୋଦୀ ତାଙ୍କୁ ଦିଦି ଦିଦି ଡାକି ଚିଡ଼ାଉଛନ୍ତି।

ମମତାଙ୍କ ସମସ୍ତ କଥାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପିଏମ୍‌ ମୋଦୀ ମଙ୍ଗଳବାର କୁଚବିହାର ରାଲିରେ ‘ଆଦରଣୀୟ ଦିଦି’ ବୋଲି କହି ଅନେକ ପ୍ରଶ୍ନ କରିଥିଲେ। ଏହା ସହ କହିଥିଲେ ଦିଦି ନିର୍ବାଚନ ହାରୁଛନ୍ତି। ପିଏମ ମୋଦୀ କହିଛନ୍ତି, ‘ଆଦରଣୀୟ ଦିଦି, ନିର୍ବାଚନ ଫଳାଫଳ ପୂର୍ବାନୁମାନ କେମିତି ଚାଲିଛି। ଆପଣଙ୍କ ରାଗ, ବ୍ୟବହାର ଏବଂ କଥା ଦେଖି ଜଣେ ଛୋଟ ପିଲା କହିପାରିବ ଦିଦି, ଟିଏମସି… ଆପଣ ନିର୍ବାଚନ ହାରିସାରିଛନ୍ତି।’

ମୋଦୀ ଧିର ସ୍ବରରେ ଯେତେ ଥର ଦିଦି ଓ ଦିଦି ବୋଲି କୁହନ୍ତି ଉପସ୍ଥିତ ଜନତା ଖୁବ ଉତ୍ସାହିତ ହେଉଥିବା ଦେଖିବାକୁ ମିଳେ। ଲୋକଙ୍କ ମୁଡ୍‌ ଦେଖି ମୋଦୀ ବାରମ୍ବାର ସେହି ଶବ୍ଦର ବ୍ୟବହାର କରନ୍ତି। ଗୁରୁତ୍ବପୁର୍ଣ୍ଣ କଥା ହେଉଛି ବିଜେପିର ଏହି ସମ୍ବୋଧନରେ ଏବେ ଦିଦି ଚିଡ଼ୁଛନ୍ତି। ଏକ ରାଲିରେ ମମତା କହିଛନ୍ତି, ତାଙ୍କୁ କିଛି ଫରକ ପଡ଼ୁନାହିଁ। ଯେତେ ଛିଗୁଲେଇଲେ ତାହା ତାଙ୍କ ପାଇଁ ଭଲ ବୋଲି କହିଛନ୍ତି ମମତା ବାନାର୍ଜୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.