ଗୁଜବରେ ବିରାମ: ‘ମୋ ୧୦୦ ବର୍ଷୀୟା ମା’ ମଧ୍ୟ ଟିକା ନେଇସାରିଛନ୍ତି’, ଭ୍ୟାକସିନ୍‌ ନେବାକୁ ଲୋକଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ ୨୭/୬: କରୋନା ଟିକା ନେବୁ ନା ନାଇଁ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଆଜି ବି ଉଙ୍କିମାରୁଛି। ଏହାକୁ ନେଇ ଥିବା ସମସ୍ତ ଦ୍ବନ୍ଦ୍ବ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂର କରିଛନ୍ତି। ରବିବାର  ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ସେ ଟିକାର ଦୁଇଟି ଡୋଜ୍‌ ନେଇସାରିଛନ୍ତି। ଏହା ବ୍ୟତୀତ ଆଜିର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନିଜ ମା ହୀରାବେନ ମୋଦୀଙ୍କ କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି, ମୋ ମାଙ୍କ ବୟସ ୧୦୦ ବର୍ଷ ଏବଂ ସେ କରୋନା ଟିକାର ଦୁଇ ଡୋଜ୍‌ ନେଇଛନ୍ତି। ତେବେ ବିଶ୍ବରୁ କରୋନା ମହାମାରୀ ଅପସରି ଯାଇଛି ଭାବିବା ଭୁଲ ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦୀ କହିଛନ୍ତି।

‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କରୋନା ଟିକାକୁ ନେଇ ଅନେକ ଲୋକଙ୍କ ସହ କଥା ହୋଇଛନ୍ତି। ମଧ୍ୟପ୍ରଦେଶର ଭୀମପୁର ବାସିନ୍ଦା ରାଜେଶ ହୀରାଓ୍ବେ ଟିକା ନେଇନାହାନ୍ତି ବୋଲି ମୋଦୀଙ୍କୁ କହିଥିଲେ। ଟିକାକୁ ନେଇ ଅନେକ ଲୋକଙ୍କ ମନରେ ଭୟ ଥିବା ଦେଖି ସେ ଟିକା ନେବାକୁ ଇଚ୍ଛାପ୍ରକାଶ କରୁନଥିବା କହିଥିଲେ। ଏହାକୁ ନେଇ ମୋଦୀ କହିଛନ୍ତି, ଏମିତି ଭୟ ନିଜ ମନରୁ  ବାହାର କରିବାକୁ ପଡ଼ିବ। ଦେଶରେ ଏବେ ସୁଦ୍ଧା ୩୧ କୋଟିରୁ ଅଧିକ ଲୋକ କରୋନା ଟିକା ନେଇସାରିଛନ୍ତି।

ରାଜଶେଙ୍କୁ ମୋଦୀ ଆହୁରି କହିଛନ୍ତି, ଆପଣ ଜାଣିଛନ୍ତି ମୁଁ କରୋନା ଟିକାର ଦୁଇଟି ଡୋଜ୍‌ ନେଇଛି। ମୋ ମାଙ୍କ ବୟସ ପାଖାପାଖି ୧୦୦ ବର୍ଷ ହୋଇଥିବା ବେଳେ ସେ ମଧ୍ୟ ଦୁଇ ଡୋଜ୍‌ ନେଇଛନ୍ତି।ଆପଣଙ୍କ ପାଳି ଆସିଲେ ଟିକା ନିଅନ୍ତୁ ବୋଲି ମଧ୍ୟ ମୋଦୀ ରାଜେଶଙ୍କୁ କହିଛନ୍ତି। ଏହା ବ୍ୟତୀତ ମୋଦୀ ଆହୁରି ମଧ୍ୟ କହିଛନ୍ତି, କରୋନା ଭୂତାଣୁ ବିରୋଧରେ ଦେଶରେ ଲଢ଼େଇ ଜାରି ରହିଛି। ଧି​‌ରେ ଧିରେ ଦେଶ ନୂଆ ନୂଆ ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରୁଛି। ଟିକାକରଣ ଅଭିଯାନର ତୃତୀୟ ଚରଣରେ ୨୧ ଜୁନ୍‌ରେ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଲାଗିଥିବା ଟିକା ଉପରେ ମୋଦୀ ଆଲେକପାତ ମଧ୍ୟ କରିଛନ୍ତି।

ଟିକା ନନେଲେ ଏହା ବିପଦ ଆଣିପାରେ । କେବଳ ଜଣେ ବ୍ୟକ୍ତି ନୁହେଁ ପରିବାର ଏବଂ ଗାଁ ମଧ୍ୟ ବିପଦମୂହଁକୁ ଠେଲି ହୋଇଯାଇ ପାରେ ବୋଲି ମୋଦୀ କହିଛନ୍ତି। ଦେଶରେ ଏମିତି କିଛି ଗାଁ ରହିଛି ଯେଉଁଠି ଶତ ପ୍ରତିଶତ ଟିକାକରଣ ହୋଇସାରିଛି। ଏହି ଅବସରରେ ଜାମ୍ମୁକାଶ୍ମୀରର ବାନ୍ଦୀପୋରା ଜିଲ୍ଲା ଏବଂ ନାଗାଲାଣ୍ଡର ୩ ଜିଲ୍ଲାର ଉଦାହରଣ ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.